ଭୁବନେଶ୍ୱର, (କେପିଏନ୍ଏସ୍) : ନବୀନ ନିବାସଠାରେ ବାଲେଶ୍ୱର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେସନର ମିଶନ ଶକ୍ତି ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଭୁବନେଶ୍ୱରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟରେ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ, ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ଥିକ ଉନ୍ନତି ଆସିପାରିଛି । ନିଜେ ରୋଜଗାର କରିପାରୁଥିବା ଯୋଗୁଁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା’ମାନେ ବହୁତ ଭଲ କାମ କରୁଛନ୍ତି ଓ ଆଗକୁ ଏହିପରି କାମ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।