ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ.ର ଗଣନାଥ ମଲିକ(୪୫) ନାମକ ଜଣେ ଆଦିବାସୀ ସଂପ୍ରଦାୟର ଯୁବକ କାମ କରିବା ବେଳେ ହାତ ହରାଇ ଅକ୍ଷମ ହୋଇଯାଇଥିଲେ ବି ସେ ବିକଳାଂଗ ଭତ୍ତା ପାଉ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗଣନାଥ କୁଲି ମଜୁରି କାମ କରି ନିଜର ପରିବାର ଭରଣ ପୋଷଣ କରୁଥିଲା । ତେବେ ଗତ ୨୦୨୦ ଅକ୍ଟୋବର ମାସରେ ମିଲ୍ରେ କାମ କରୁଥିବା ସମୟରେ ଇଲେକ୍ଟ୍ରି କରେଣ୍ଟ ସଂସ୍ପର୍ଶରେ ଆସିଥିବା ବେଳେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ତାକୁ ନିଆଯାଇଥିଲା । ସେଠାରୁ ଡାକ୍ତର ତାଙ୍କୁ ବଲାଙ୍ଗିର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବଲାଙ୍ଗିର ଡ଼ାକ୍ତର ପୁଣି ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଭାଗ୍ୟବଶତଃ ଗଣନାଥ ମଲିକର ପ୍ରାଣ ବଞ୍ଚିଗଲା ସିନା, ହେଲେ ବାମ ହାତ କଟାଗଲା । ଡାହାଣ କାନ୍ଧ ଓ ଡାହାଣ ଗୋଡ ଆଣ୍ଠୁ ତଳକୁ ମଧ୍ୟ ଗଭୀର ଆଘାତ ଲାଗିଥିବା ଯୋଗୁଁ ସେ ଗୋଟିଏ ପ୍ରକାର ଅକ୍ଷମ ହୋଇଗଲେ । ଏହି ଯୁବକ ଜଣକ ଏବେ କାମଧନ୍ଦା କରି ନପାରି ଦୟନୀୟ ଅବସ୍ଥାରେ କାଳାତିପାତ କରିଆସୁଛି । ଏଯାଏଁ ତାହାର ବିକଳାଙ୍ଗ ସାର୍ଟିଫିକେଟ ହୋଇ ନଥିବା ଯୋଗୁଁ ସେ ସରକାରଙ୍କ ତରଫରୁ ବିକଲାଙ୍ଗ ଭତ୍ତା ବି ପାଉନାହିିଁ । ଏଣୁ ଗଣନାଥକୁ ଶୀଘ୍ର ବିକଳାଂଗ ଭତ୍ତା ପ୍ରଦାନ କରାଯିବାକୁ ସାଧାରଣରେ ଦାବୀ ହେଉଛି ।