ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶ ଲଖିମପୁର ଖେରିଠାରେ ସହିଦ ଚାଷୀଙ୍କ ଉଦ୍ଦେଶ୍ୟରେ ମିଳିତ କୃଷକ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତା’ସହ ଆନ୍ଦୋଳନରତ ଚାଷୀଙ୍କ ହତ୍ୟାକାରୀଙ୍କୁ ଗିରଫ କରାଯାଇ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୃଷକ ସଂଗଠନ ଦାବୀ କରିଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ଭବନ ସ୍ଥିତ ଗାନ୍ଧିମୂର୍ତ୍ତିଠାରେ ମିଳିତ କୃଷକ ସଂଗଠନ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ସହରର ବିଭିନ୍ନ ଚାଷୀ, ଶ୍ରମିକ ଓ ସାଂସ୍କୃତିକ ସଂଗଠନ ଯୋଗଦାନ ବାପୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଲଖିମପୁରଠାରେ ସହିଦ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶୋକ ସଂତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ପରେ ପରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇ ଘଟଣାର ତୀବ୍ର ନିନ୍ଦା କରାଯିବା ସହିତ ବର୍ତମାନ ପରିସ୍ଥିତିରେ ଚାଷୀମାନଙ୍କ ଦଶା ଓ ଦିଶା ଉପରେ ଆଲୋଚନା କରାଯାଇଥିଲା । ଦେଶରେ ଏବେ ଚାଷୀମାନଙ୍କୁ ତାଙ୍କର ହକରୁ ବଂଚିତ କରିବା ପାଇଁ ଜୋରଦାର ଷଡଯନ୍ତ୍ର କରାଯାଉଛି ବୋଲି ମତ ପ୍ରକାଶ ପାଇଥିଲା । ଚାଷୀମାନଙ୍କ ହକ ଉପରେ ପର୍ଯ୍ୟାୟ କ୍ରମେ ଆକ୍ରମଣ କରାଯାଉଛି ବୋଲି ମତ ପ୍ରକାଶ ପାଇଥିଲା । ପ୍ରଥମେ ଚାଷୀକୁଳର ବିରୋଧ ସତ୍ତ୍ୱେ ଦେଶରେ କଳା କୃଷି ଆଇନ ପାସ କରି ଦିଆଗଲା । ଚାଷୀମାନେ ଏହି ଆଇନକୁ ବାପିସ ନେବା ପାଇଁ ଗତ ୧୦ ମାସ ଆନ୍ଦୋଳନ ଓ ଶହ ଶହ ଚାଷୀଙ୍କ ପ୍ରାଣବଳୀ ଦେବା ପରେ ମଧ୍ୟ କେନ୍ଦ୍ର ସରକାର ଚାଷୀକୁଳ ପ୍ରତି ଆଖି କାନ ବନ୍ଦ କରି ଦେଇଛି ବୋଲି ମତ ପ୍ରକାଶ ପାଉଛି । ଆହୁରି ଚାଷୀ ଏହି ଆନ୍ଦୋଳନକୁ ଦେଶର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ କରି ମତ ସଂଗ୍ରହ ପାଇଁ ପ୍ରଚେଷ୍ଟା କଲା ବେଳେ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଏଭଳି ଭାବେ ବର୍ବର ଆକ୍ରମଣ କରାଯାଉଛି, ଯାହା ଏବେ ଚାଷୀମାନଙ୍କୁ ତାଙ୍କର ଆନ୍ଦୋଳନ କରିବାର ଅଧିକାରରୁ ମଧ୍ୟ ବଂଚିତ କରିବାକୁ ପ୍ରୟାସ କରାଯାଉଛି । ତେବେ ଏହା ସତ୍ୱେ ଚାଷୀକୁଳ ନିଜ ହକ ପାଇଁ ପ୍ରାଣବଳି ଦେବାକୁ ପଛାଇବେ ନାହିଁ, ବୋଲି ସଂଗଠନ ପ୍ରକାଶ କରିଛି । ଏହା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମିଳିତ କୃଷକ ସଂଗଠନ ଦୃଢ଼ ଦାବୀ କରିଛି । ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଚାଷୀନେତା ଅରୁଣ ମିଶ୍ର, ଆକାଶ ମିଶ୍ର, ଚଗଲା ପରିଛା, ଯତି ପ୍ରଧାନ, ରାମ ନାରାୟଣ ବ୍ରହ୍ମା, ସିଦ୍ଧାର୍ଥ ମିଶ୍ର, ଶ୍ରମିକ ନେତା ପୁଲିନ ମିଶ୍ର, ବିଭୁଦତ୍ତ ମିଶ୍ର, ସମେତ କଂଗ୍ରେସ ନେତା ବିଧୁ ଭୂଷଣ ତ୍ରିପାଠୀ, ବିପିନ କୁସଲିଆ, ମଧୁସୂଦନ ଖେତି, ଅନିଶ୍ ସାହୁ, ଅସୀମ ଭୋଇ ଓ ଅମିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।