ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଶରୀର : ମୋବାଇଲ ଲାଇଟରେ ହେଲା ଶବ ବ୍ୟବଚ୍ଛେଦ

  • ରେଞ୍ଜରଙ୍କ ପତ୍ତା ମିଳୁନି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତହଁସିର ଡ୍ୟାମ୍ ନିକଟରୁ ମିଳିଛି । ସୂଚନା ଅନୁସାରେ, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା । ତେବେ ହାତୀର ଶବ ମିଳିନଥିଲା । ବାଲିଗୁଡ଼ା ଡିଏଫ୍‌ଓ ଏହି ଘଟଣାର ତଦନ୍ତ କରୁଥିଲେ । ବୁଧବାର ଜଏଣ୍ଟ୍ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ । ହାତୀର ଶବ ପୋତିବା ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ । ଏହି ଅପରେସନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍ ବ୍ୟାରିକେଡ୍ କରି ରଖିଥିଲେ । ଜେସିବି ଦ୍ୱାରା ମାଟି କଢା ଯାଇ ୭ ଫୁଟ୍ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ । ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି । ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା । ପରେ ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ । ଏହି ଖବରରୁ ସମସ୍ତଙ୍କୁ ଦୁରେଇ ରଖାଯାଇଥିଲା । ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଫଟୋ ନେବାରୁ ବାରଣ କରାଯାଇଥିଲା । ବାଲିଗୁଡା ଡିଏଫ୍‌ଓଙ୍କ ତତ୍ତ୍ବାବଧାନରେ ଏହି ଅପରେସନ ହୋଇଥିଲା । କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍‌ଓ କନ୍ଧମାଳ ଜିଲ୍ଲା ଘଟଣାର ଅପରେସନ କରୁଛି ବୋଲି କହିଥିଲେ । ତେବେ ରାତିରେ ମୋବାଇଲ୍ ଲାଇଟ୍‌ରେ କିପରି ବ୍ୟବଚ୍ଛେଦ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଙ୍ଗଳବାର କନ୍ଧମାଳ ଜିଲ୍ଲାର ବେଲଘର କାଠ ବଙ୍ଗଳାରେ ତଦନ୍ତ ପରେ କାଡ଼ାପାନା ନର୍ସରୀରେ ହାତୀର ଶବ ପୋତା ଯାଇଥିବା ଅନୁମାନ କରି ଖୋଳାଖୋଳି ଆରମ୍ଭ ହୋଇଥିଲା ଏଠାରୁ ପଲିଥିନ୍‌ରେ ବନ୍ଧାଯାଇଥିବା କିଛି ମାଂସ ଜବତ ହୋଇଥିଲା । ଆଜି ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ହାତୀର ଦେହାବଶେଷ ମିଳିବା, ଏହି ଘଟଣାକୁ ଆହୁରି ରହସ୍ୟକୁ ଠେଲିଦେଇଛି । ହାତୀ ମୃତ୍ୟୁ ଲୁଚାଇବାକୁ ରେଞ୍ଜର କିଭଳି ବଡ଼ଧରଣର ଜାଲ ବିଛାଇଥିଲେ, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ତେବେ ନିଲମ୍ବିତ ରେଞ୍ଜର୍‌ଙ୍କ ପତ୍ତା ମିଳୁନାହିଁ । ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହାନ୍ତ ଏହି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବିଏସ୍‌ଟିଏଫ୍ ତଦନ୍ତ ଦାବି କରିବା ସହ ଏଥିରେ ତଳତଳିଆ କର୍ମଚାରୀଙ୍କଠୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପୃକ୍ତି ରହିଥିବା କହିଛନ୍ତି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ଆଲୋଚନା ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ବିଜେଡି ନେତା ତଥା ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି, ଏହି ଘଟଣାରେ କେବଳ ତଳତଳିଆଙ୍କୁ ବଳି ପକାଇ ଡିଏଫ୍‌ଓ ଓ ଏସିଏଫ୍ ଖସି ଯିବାକୁ ଉଦ୍ୟମ କରୁଛନ୍ତି । ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସୂଚନା ଥାଉ କି, ମୁଣ୍ଡୁଟି ଜଙ୍ଗଲରେ ଗତ ୫ ତାରିଖରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଶ୍ରୀ ବିଶି ଷଡ଼ଯନ୍ତ୍ର ରଚିଥିଲେ । ଘଟଣାକୁ ଲୁଚାଇବା ପାଇଁ ହାତୀ ମୃତଦେହକୁ ସେଠାରେ ନ ପୋତି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵରରେ ଏକ ଜେଟିଏଫ୍ ଟିମ୍ ଗଠନ କରାଯାଇଛି । ଏଥିରେ ଡେପୁଟି କଞ୍ଜରଭଟର ରାମପଦ ଅରବିନ୍ଦ ମିଶ୍ର, ବିବେକ କୁମାର ଓ ଅବସରପ୍ରାପ୍ତ ଏସ୍‌ପି କିଶୋର ପାଣିଗ୍ରାହୀ ରହିଛନ୍ତି । ଏହି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଆର୍‌ସିସିଏଫ୍ ବିଶ୍ୱନାଥ ନୀଳାମ୍ବର ବାଲିଗୁଡ଼ା ଆସି ପ୍ରଥମିକ ତଦନ୍ତ ରିପୋର୍ଟ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.