jayashree

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର-୬ରେ ସାହିତ୍ୟ ସୃଜନୀ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର-୬ରେ ପାଳିତ ହୋଇଯାଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତାର ମହୋତ୍ସବ । ଉଚ୍ଚ ବିଦ୍ୟାଳୟମାନଙ୍କରେ ଆକାଂକ୍ଷୀ ପାଠ୍ୟକ୍ରମ ଜରିଆରେ ସାମିଲ ହୋଇଥିବା ଚାରୋଟି କ୍ଲବ ଯଥା କୌଶଳୀ, କ୍ରୀଡାଙ୍ଗନ, ଜିଜ୍ଞାସା ଓ ସାହିତ୍ୟ ସୃଜନୀର ସଦସ୍ୟ ଛାତ୍ରଛାତ୍ରୀମାନେ ବିଭିନ୍ନ ଚିତ୍ରକଳା, କାରୁକାର୍ଯ୍ୟ, ପ୍ରକଳ୍ପ, ପୁସ୍ତକ ସଂକଳନ, ସମୀକ୍ଷା, ଗଳ୍ପ ପଠନ, କବିତା ଆବୃତ୍ତି, ଅଭିନୟ, କ୍ରୀଡା କୌଶଳ ତଥା ସୃଜନାତ୍ମକ ସୃଷ୍ଟି ମାଧ୍ୟମରେ ତାଙ୍କର ଉତ୍କର୍ଷ ପ୍ରତିପାଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟର ପ୍ରାରମ୍ଭରେ ବିଶ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଣୁଧର ସ୍ୱାଇଁ ଫିତା କାଟି ଉତ୍ସବକୁ ଉଦ୍‌ଘାଟିତ କରିଥିଲେ । ତାଙ୍କ ସହ ଯୋଗ ଦେଇଥିଲେ ପୂର୍ବତନ ସ୍କୁଲ ଇନ୍ସପେକ୍ଟର ଶରତ ସାହୁ ମହୋଦୟ । ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ପାଖାପାଖି ସରକାରୀ ତଥା ବେସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ସୃଜନଶୀଳତା ଦେଖି ବିସ୍ମିତ ହେବା ସହିତ ବିଭୋର ମଧ୍ୟ ହୋଇଥିଲେ । ମଧ୍ୟାହ୍ନ ବିରତି ପରେ ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା ସାହିତ୍ୟ ସଭା ଏବଂ ପୁରସ୍କାର ବିତରଣୀ ଉତ୍ସବ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ ଓ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସ୍ଵାଗତ ସମ୍ଭାଷଣ ରଖିଥିଲେ । ତାଙ୍କ ବକ୍ତବ୍ୟରେ ଏହି ଉତ୍ସବ ଏବଂ ପ୍ରଦର୍ଶନୀର ଆଢୁଆଳରେ ଥିବା ସରକାରଙ୍କ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଲେଖିକା ତଥା ମାଟି ମନସ୍କ କବି ଡା. ଗୀତାଞ୍ଜଳି ପତ୍ରୀ । ସେ ପିଲାଙ୍କୁ ଭାଷାର ଗୁରୁତ୍ଵ ଏବଂ ଆବଶ୍ୟକତା ବୁଝାଇବା ସହିତ ଗୁରୁଙ୍କୁ ଭକ୍ତି କଲେ କିପରି ଜୀବନରେ ସଫଳତା ମିଳିଥାଏ, ସେ ସମ୍ପର୍କରେ ଦିଗ୍‌ଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ତଥା ପୂର୍ବତନ ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଳା କୁମାରୀ ରଥ ଯୋଗଦେଇ ଗଳ୍ପ ଛଳରେ ଭାଷା ରହିତ ଜୀବନ ପଶୁତୁଲ୍ୟ ଏବଂ ପ୍ରତ୍ୟେକ ଭାଷାର ସ୍ଵତନ୍ତ୍ରତା ଥିବା ଦର୍ଶାଇ ଥିଲେ । ନିମନ୍ତ୍ରିତ ମୁଖ୍ୟବକ୍ତା ଶିକ୍ଷାବିତ୍ ଏବଂ ପୂର୍ବତନ ଶିକ୍ଷା ଅଧିକାରୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ରଶରଶ୍ମିବାଳା ରାଉତରାୟ ବିଭିନ୍ନ ଉଦାହରଣ ମାଧ୍ୟମରେ ମାତୃଭୂମି, ମାତୃଭାଷା ଏବଂ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ବିଷୟରେ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ବିବେକାନନ୍ଦ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ରଶ୍ମିତ କୁମାର ସାହାଣୀ ଯୋଗଦେଇ ସଭାର ଶୋଭାବର୍ଦ୍ଧନ କରିଥିଲେ । ଶେଷ ପର୍ଯ୍ୟାୟଟି ଥିଲା ବହୁ ପ୍ରତୀକ୍ଷିତ ପୁରସ୍କାର ବିତରଣୀ ଉତ୍ସବ । ପ୍ରତ୍ୟେକ କ୍ଲବର ସର୍ବୋତ୍ତମ ପ୍ରଦର୍ଶନ କରିଥିବା ତିନି ତିନିଟି ଦଳଙ୍କୁ ପୁରସ୍କୃତ କରାଯାଇଥିଲା । ଏତଦ୍‌ ବ୍ୟତୀତ ସୁନ୍ଦର ଗଳ୍ପ ପଠନ ଏବଂ କବିତା ଆବୃତ୍ତି କରିଥିବା ପିଲାଙ୍କୁ ଏବଂ ସ୍ୱରଚିତ ତଥା ସ୍ଵନିର୍ଦ୍ଦେଶିତ କ୍ଷୁଦ୍ର ନାଟକ ମାଧ୍ୟମରେ ଆମ ଭାଷା ଓ ସଂସ୍କୃତିକୁ ନିଖୁଣ ଭାବେ ପରିବେଷଣ କରିଥିବା ହାଉସ୍‌ର ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟେକ ପ୍ରତିଭାଗୀ ଅତିଥି ମାନଙ୍କ ଦ୍ଵାରା ଉଚ୍ଚ ପ୍ରସଂଶିତ ହୋଇଥିଲେ । ବ୍ଲୁ ହାଉସ୍ ଏବଂ ଗ୍ରୀନ ହାଉସ୍‌, ବେଷ୍ଟ ହାଉସ୍‌ ପୁରସ୍କାର ଏବଂ କପ୍ ସେୟାର କରିଥିଲେ । ପିଲାମାନଙ୍କର ସୃଜନଶୀଳତାରେ ପ୍ରତ୍ୟେକ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ ଓ ଅର୍ଥପୂର୍ଣ୍ଣ କରିବା ନିମନ୍ତେ ଉଭୟ ଶ୍ରମ ଓ ସମୟ ବିନିଯୋଗ କରିଥିଲେ । ସର୍ବଶେଷରେ ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହିତ ମୁଖ୍ୟ ଅତିଥିଙ୍କ ଅନୁରୋଧ କ୍ରମେ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.