ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଯାଇଛି । ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ୍‌ ରାଜିନ ଏକ୍କା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବନ୍ଦ ଥିବା ରାଉରକେଲାର ପବିତ୍ର ବେଦବ୍ୟାସ ପୀଠର ପ୍ରସିଦ୍ଧ ମେଳା ଚଳିତ ବର୍ଷ ମହାଆଡମ୍ବର ସହକାରେ ପାଳନ କରାଯାଉଛି । ପୂର୍ବରୁ ୧୫ ଦିନ ଧରି ଅୟୋଜିତ ହେଉଥିବା ଏହି ମେଳାକୁ ଚଳିତ ବର୍ଷ ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୧୮ରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିସହ ମେଳା ଅବସରରେ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆୟୋଜିତ କରାଯାଉଛି । ଜିଲ୍ଲା କୃଷି ବିଭାଗ ସମେତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରଦର୍ଶନୀ ଷ୍ଟଲ୍ କରାଯାଇ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି । ଏତଦ୍ ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ଆଂଚଳିକ ପରିବହନ ବିଭାଗ ସହ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ବିଭିନ୍ନ ସହାୟକ ଉପକରଣ ଓ ସମନ୍ଵିତ ଭୌତିକ ଚିକିତ୍ସାକେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ମଧ୍ୟ ଷ୍ଟଲ୍ କରାଯାଇଛି । ଏହି ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୬ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଡେପୁଟି କମିଶନର ଗୌରବମୟ ପ୍ରଧାନ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟ ରମାକାନ୍ତ ବିଶ୍ବାଳ, ପ୍ରମୋଦ ପ୍ରଧାନ, ରାଜେଶ ଗାର୍ଗ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.