
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫୁଟବଲ ରେଫରୀ ଆସୋସିଏସନ୍ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଫୁଟବଲ ଟିମ୍ ତରଫରୁ ଶାଶ୍ୱତ ବିଶିଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆମେରିକା ଯାତ୍ରା ଓ ପବିତ୍ର ଲେଙ୍କାଙ୍କୁ ଚାକିରି ଜୀବନରୁ ଅବସର ନିମନ୍ତେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ବିଶି ଜଣେ ଉଚ୍ଚ କୋଟୀର ଖେଳାଳି ସହ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ର । ସେଣ୍ଟ ପଲ ବିଦ୍ୟାଳୟରୁ ଦଶମ ଶ୍ରେଣୀ, ଇସ୍ପାତ ଇଂରାଜୀ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ କୃତିତ୍ୱର ସହ ଉତୀର୍ଣ୍ଣ ହେଲା ପରେ ରାଉରକେଲା ଏନ୍ଆଇଟିରେ ନିଜର ବି ଟେକ ଓ ଏମ୍ ଟେକ ଡିଗ୍ରୀ ପ୍ରାପ୍ତ କଲା ପରେ ବର୍ତ୍ତମାନ ଏମ୍ବିଏ ପଢିବା ପାଇଁ ଆମେରିକାର ଲସ ଆଞ୍ଜେଲସକୁ ଯାତ୍ରା କରୁଛନ୍ତି । ଛାତ୍ର ଜୀବନରୁ ସେ ଖେଳ ସହ ପାଠରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଆସିଛନ୍ତି । ସେ ଫୁଟବଲ ଖେଳରେ ଷୋହଳ ବର୍ଷରୁ କମ ବର୍ଗରେ ଚମ୍ପିୟାନ, ଆନ୍ତଃ ଜିଲ୍ଲା ଓ ଆନ୍ତଃ ଇସ୍ପାତ ଦଳରେ ସଦସ୍ୟ ରହିବା ସହ ଏନ୍ଆଇଟି ଫୁଟବଲ୍ ଦଳର ଅଧିନାୟକ ଥିଲେ ଏବଂ ପ୍ରାୟ ଦୁଇ ଶହରୁ ଅଧିକ କ୍ରିକେଟ ମ୍ୟାଚ ଖେଳି ରାଉରକେଲା କ୍ରୀଡା ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ପାଠ ଓ ଖେଳ ଦୁଇଟି କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଅନ୍ୟ ଛାତ୍ରମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଅଫିସର ଆସୋସିଏସନ୍ର ପୂର୍ବତନ ସଭାପତି ଓ ବର୍ତ୍ତମାନ ନିଟ୍ରାର ସଭାପତି ତଥା ସମାଜସେବୀ ବିମଲ ବିଶିଙ୍କର ସେ ଏକମାତ୍ର ପୁତ୍ର । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କ୍ରୀଡା ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ଫୁଟବଲ ରେଫରୀ ଭାସ୍କର ନନ୍ଦ, ପ୍ରଦୀପ୍ତ କୁମାର ମହାନ୍ତି, କେଶବ ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ଶାଶ୍ୱତଙ୍କ ବିଦେଶର ଉଚ୍ଚ ଶିକ୍ଷା ଲାଭ ପାଇଁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଏବଂ ପବିତ୍ର ଲେଙ୍କାଙ୍କର କ୍ରୀଡା କ୍ଷେତ୍ରରେ ନିଜର ଉତ୍ସଚ୍ଛର୍ଗୀତ ସେବା ମନୋଭାବ ପାଇଁ ଉଚ୍ଚ ପ୍ରଶଂସା କରିବା ସହ ଅବସରକାଳୀନ ସମୟ ସୁସ୍ଥ ଓ ଆନନ୍ଦମୟ ହେଉ ବୋଲି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଈଶ୍ୱର ଚନ୍ଦ୍ର ଟୁଡୁ, ରାଜକୁମାର ପାଣିଗ୍ରାହୀ, ସୁଶାନ୍ତ ଧନ୍ତୀ, ପୁରୁଷୋତ୍ତମ ତନ୍ତୀ, ଅମିତ ସିଂ, ଜୟ ସିଂ, ରଘୁନାଥ ହେମ୍ବ୍ରମ, ସଞ୍ଜୟ ଧାଙ୍ଗିଆ, ବିଜୟ ସମାସୀ, ସୀମା କୁଜୁର, ଖୁସି ପ୍ରଧାନ, ଆରତୀ ଖାଡିଆ ପ୍ରମୁଖ ଉପସ୍ଥିତ ଥିଲେ ।