ଅଷ୍ଟମ ବର୍ଷ ମୟୁରଭଞ୍ଜ ମହୋତ୍ସବ ୨୦୨୫

  • ନଭେମ୍ବର ୩୦ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ମୟୁରଭଞ୍ଜ, (ଦେବସ୍ମିତ୍‌ ଚୌଧୁରୀ) : ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୁରଭଞ୍ଜ ମହୋତ୍ସବ । ୮ମ ବର୍ଷରେ ପଦାର୍ପଣ କରିଛି ମୟୁରଭଞ୍ଜ ମହୋତ୍ସବ । ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ରବିବାର ବାରିପଦା ଦେଉଳସାହି ସ୍ଥିତ ମଣ୍ଡପ ଠାରେ ମୟୁରଭଞ୍ଜ ମହୋତ୍ସବ ଆୟୋଜକ କମିଟି ସଭାପତି ଅସିତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ୮ମ ବର୍ଷ ମୟୂରଭଞ୍ଜ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଆଉ ଏଥିରେ ଏହି ଘୋଷଣା କରାଯାଇଛି କି ପ୍ରଥମ ଦିନରେ ପ୍ରତିବର୍ଷ ଭଳି ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ । ଡିସେମ୍ବର ୦୧ ତାରିଖରୁ ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ପ୍ରତିଦିନ ସନ୍ଧ୍ୟାରେ ଜିଲ୍ଲାର କଳାକାର ମାନଙ୍କ ସହିତ ରାଜ୍ୟ ତଥା ରଜ୍ୟ ବାହାର କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ସିନେ ଜଗତର ବହୁ ନାମୀଦାମୀ କଳାକାରମାନଙ୍କୁ ନେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲିଉଡ୍ ସୁନାମ ଧନ୍ୟ ଗାୟିକ ଗାୟିକା ଧମକା ମଚାଇବେ ବୋଲି ଆୟୋଜକ କମିଟି ସୁଚନା ଦେଇଛନ୍ତି । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୂରଭଞ୍ଜ ମହୋତ୍ସବ । ଏଥିପାଇଁ ଚଳିତ ବର୍ଷ ମଧ୍ୟ ୩ ଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ କାରିବାକୁ ନିଷ୍ପ ନିଆଯାଇଛି । ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ ସାଙ୍ଗକୁ ୨ ଦିନ କୁଡୁମାଲି କାର୍ଯ୍ୟକ୍ରମ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ୧୦ ଦିନ ମଧ୍ୟରେ ଦୁଇ ଦିନ ବଲିଉଡ ଷ୍ଟାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ତାସହିତ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆହୁରି ଅଧିକ ପୁରସ୍କାର ରାଶି ସହିତ ଜିଲ୍ଲାସ୍ତରୀୟ ଫୁଟବଲ୍, ଲାଖବିନ୍ଧା ଓ ରିଲସ ପ୍ରତିଯୋଗିତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲାମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ମୟୁରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ୨୦୦ ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲିବ ଏହି ମହୋତ୍ସବରେ । ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି । ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯିବ ମହୋତ୍ସବରେ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୟୁରଭଞ୍ଜ ଜିଲ୍ଲାର ପୁରୁଣା ସ୍ମୃତିକୁ ସାଉଁଟି ସେଲଫି ଜୋନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି ଆୟୋଜକ କମିଟି । ଏହି ଜିଲ୍ଲା ସ୍ତରୀୟ ବୈଠକ ପରେ କପ୍ତିପଦା ଉପଖଣ୍ଡ ଓ ବାମନଘାଟି ଉପଖଣ୍ଡ ଏବଂ ପଞ୍ଚପିଢ଼ ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ମହୋତ୍ସବର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଧାୟକ ଭାଦବ ହାଁସଦା, ସଂଜୀବ ଦ୍ଵିବେଦୀ, ସୁଜିତ୍ ମହାନ୍ତି, ବିପ୍ଳବ ବୁଗୁଡେଇ,ରାକେଶ ସିଂ, ବିଶ୍ୱଜିତ୍ ନାୟକ, ଜିତେନ୍ଦ୍ର ହେମ୍ବ୍ରମ, ଅମର ସେଠୀ, ସବିତା ହାଁସଦା, ତାପସ ପାଢୀ, ବିଜୟ କୁମାର ଦାସ, ଲିଲି ଭୋଳ, ଉମେଶ ପଟ୍ଟନାୟକ, ତରୁଣ ମହାନ୍ତି, କାଶୀନାଥ ରଣା, ଅଞ୍ଜନ ବରାଳ, ମାଇକେଲ ମହାନ୍ତ, ନିମାଇଁ ତ୍ରିପାଠୀ, ସତ୍ୟମ୍ ଶୁଭମ୍ ପାଣି, ସତ୍ୟ ସ୍ଵରୂପ ଦାଶ, ଅରୁଣ ବରାଡ, ପିଣ୍ଟୁ ମାଇତି, ରବିନ୍ ମହାନ୍ତି, କନିକା ବୋଷ, ମୂର୍ଚ୍ଛନା ଦାସ ପଟ୍ଟନାୟକ, ରାଜୀବ ଜେନା, ରାଜେଶ ଦାଶ, ଅଭିଷେକ ବେହେରା, ସମୀର ଦେ, ସୁବ୍ରତ ମୁଖୀଙ୍କ ସମେତ ସମଗ୍ର ଜିଲ୍ଲାରୁ ୨୫୦ରୁ ଉର୍ଦ୍ଧ୍ୱ ମେମ୍ବର ସାମିଲ ଥିଲେ ବୋଲି ମୁଖପାତ୍ର ସତ୍ୟଜିତ ସୋମ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.