- ସୁସ୍ଥ ସମାଜ ଗଠନରେ ସୁସ୍ଥ ପରିବାରର ଭୂମିକା ଗୁରୁତ୍ୱପୂର୍ଣ୍ଣ
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସନ୍ଥ ଦିବ୍ୟଜୀବନ ଗୁରୁକୁଳରେ ମାତୃପିତୃ ପୂଜନ ଦିବସ ସହ ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୁରୁକୁଳର ପ୍ରଧାନ ଆଚାର୍ଯ୍ୟା ଯାଜ୍ଞସେନୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ପୁଇଁତଳା ବ୍ଲକ ଚେୟାରମେନ ସରୋଜ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନରେ ସୁସ୍ଥ ପରିବାରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପୁଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଯୋଗଦେଇ ନୀତିଶିକ୍ଷା ବ୍ୟକ୍ତିକୁ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ କରେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନିମନ୍ତ୍ରୀତ ବକ୍ତା ଭାବେ ବହଲପଦର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର ଯୋଗଦେଇ ପରିବାରକୁ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ ମାତା ପିତାଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବିଲେଇସର୍ଡା ସରପଞ୍ଚ ସୁଶାନ୍ତ ଛତ୍ରିଆ, ସମିତି ସଭ୍ୟ ସୁରେନ୍ଦ୍ର ବୁଡେକ, ସମାଜସେବୀ ଭରତଭୂଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ପରିବାରକୁ ସୁସ୍ଥ, ସୁଶୃଙ୍ଖଳିତ କରି ଗଢି ତୋଳିବା ପାଇଁ ପରିବାରରେ ପିଲାଙ୍କୁ ସଂସ୍କାର ଓ ରୀତିନୀତି ଶିକ୍ଷା ଦେବା ଜରୁରୀ ବୋଲି କହିଥିଲେ । ପ୍ରଧାନ ଆଚାର୍ଯ୍ୟା ଯାଜ୍ଞସେନୀ ଭୋଇ ବାର୍ଷିକ ବିବରଣୀ ପଠନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ସରୋଜ ରାମ ଗଡତ୍ୟା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ହିମାଂଶୁ ଶେଖର ନାଏକ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଧାନ ବିଦ୍ୟାଳୟ ତରଫରୁ “ମୋ କଳ୍ପନା ମୋ କୃତୀ” ପ୍ରାଚୀର ପତ୍ରିକାକୁ ଉନ୍ମୋଚିତ କରିଥିଲେ । ଚଳିତ ବର୍ଷ ପାଇଁ ବିନ୍ଦାରାଣୀ ଦଲାଇଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଗୁରୁମା ସୁଜାତା ଗଡତ୍ୟା, ଝରଣା ପଧାନ, ରିମା ମେଶ୍ୱା, ମନୀଷା ପଧାନ, ପିଞ୍ଜଳୀ ସାହୁ, ସେବିକା ସର୍ବେଶ୍ୱରୀ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।