ଗଞ୍ଜାମ ଜିଲ୍ଲାରେ ମାଟ୍ରିକ ଅଫଲାଇନ ପରୀକ୍ଷା ଶୃଙ୍ଖଳିତ : ଜିଲ୍ଲାରେ ୧୩ ଶହ ୧୯ ପିଲାଙ୍କ ପାଇଁ ୨୮ଟି ପରୀକ୍ଷା କେନ୍ଦ୍ର ସଂଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୧୩ ଶହ ୧୯ ପିଲାଙ୍କ ପାଇଁ ୨୮ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଅଫଲାଇନ ପରୀକ୍ଷା ସଂଗଠିତ ହୋଇଛି । ଆଜିଠାରୁ ଶୃଙ୍ଖଳିତ ଭାବେ ଆରମ୍ଭ ହୋଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ୱାରା ପରିଚାଳିତ ଏହି ମାଟ୍ରିକ ପରୀକ୍ଷା ନିମନ୍ତେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୧୦ ଘଣ୍ଟାଠାରୁ ମଧ୍ୟାହ୍ନ ୧୨ଘଣ୍ଟା ମଧ୍ୟରେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇ ସର୍ବମୋଟ ୮୦ ମାର୍କ ସମ୍ବଳିତ ପରୀକ୍ଷାର ପ୍ରଶ୍ନପତ୍ର ପିଲାଙ୍କ ପାଇଁ ଖସଡ଼ା ପ୍ରସୁତ ହୋଇଥିବା ଶିକ୍ଷା ବିଭାଗ କହିଛନ୍ତି । ଜିଲ୍ଲାର ହିଞ୍ଜିଳିକାଟୁ, ଶେରଗଡ଼, ବ୍ରହ୍ମପୁର ମହାନଗରନିଗମ, ଗଞ୍ଜାମ, ଛତ୍ରପୁରରେ ପ୍ରମୁଖ ନୋଡାଲ ସରକାରୀ ହାଇସ୍କୁଲ ମାନଙ୍କରେ ମାଟ୍ରିକ ପରୀକ୍ଷା ସଂଗଠିତ ହୋଇଛି । ରାଜ୍ୟ ପ୍ରାଥମିକଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରରୁ ନୋଡାଲ ଅଧିକାରୀ ବୃନ୍ଦାବନ ଶତପଥୀ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ଏ ସମସ୍ତ ବିଦ୍ୟାଳୟର ଭିତ୍ତିଭୂମିର ତଦାରଖ କରିବା ସାଂଗକୁ ବିଦ୍ୟାଳୟ ପର୍ଯ୍ୟବେକ୍ଷଣ, ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ଶ୍ରୀ ଶତପଥୀ ସମୀକ୍ଷା କରି ଭୁବନେଶ୍ୱର ଫେରିଥିଲେ । ତେବେ ଆଜି ମୋଟାମୋଟି ଭାବେ ପରୀକ୍ଷା ହଲ୍‌ରେ କୋଭିଡ଼ ଗାଇଡ଼ ଲାଇନକୁ ମାନ୍ୟକରି ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ପରୀକ୍ଷା ଦେଇଥିଲେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଏବଂ ଅନସ୍ଲୋ ଶିକ୍ଷାନୁଷ୍ଠାନରେ ପରୀକ୍ଷା ସଂଗଠିତ ହୋଇଛି । ଖବର ନେବାରେ ଜଣାଯାଇଛି ଯେ, ଅନସ୍ଲୋ ଶିକ୍ଷାନୁଷ୍ଠାନରେ ସର୍ବମୋଟ ୧୧୦ ପିଲାମାନଙ୍କ ମଧ୍ୟରୁ ୩୭ ଜଣ ଆଜି ଅନୁପସ୍ଥିତ ଅଛନ୍ତି, ୭୩ ଜଣ ପିଲା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି, ବୋଲି ବ୍ଲକ୍ ଶିକ୍ଷାଧିକାରୀ ଅବିନାଶ ଶତପଥୀ କହିଛନ୍ତି । ସେହିପରି ସରକାରୀ ଉଚ୍ଚବାଳିକା ବିଦ୍ୟାଳୟରେ ମାତ୍ର ୮ଜଣ ପିଲାଙ୍କ ମଧ୍ୟରୁ ସମସ୍ତେ ପରୀକ୍ଷା ହଲ୍‌ରେ ଉପସ୍ଥିତ ଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ବୋର୍ଡ଼ ଅଧୀନରେ ବାଳିକା ଶିକ୍ଷା ସମୃଦ୍ଧି ଯୋଜନା ମାଧ୍ୟମରେ ୫୬ ଜଣ ମହିଳାଙ୍କ ମଧ୍ୟରୁ ୫୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି, ଆଉ ମାତ୍ର ୪ଜଣ ଅନୁପସ୍ଥିତ ଥିଲେ ବୋଲି ଏବିଇଓ ନୃସିଂହ ଚରଣ ମିଶ୍ରଙ୍କ ଠାରୁ ପ୍ରକାଶ । ସର୍ବୋପରି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଅଧୀନରେ ଏହି ଅଫଲାଇନ ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହେବାକୁ ଉଦ୍ୟମ ହୋଇଥିବା ନେଇ ଜୋନାଲ ବୋର୍ଡ଼ର ଉପସଚିବ ସୁବାଷ ଚନ୍ଦ୍ର ବେହେରା ଜିଲ୍ଲାର ତଦାରଖ କରି ଆସିଥିବା ଜଣାଯାଇଛି ।

Leave A Reply

Your email address will not be published.