ପ୍ରଫେସର ଡଃ. ଦତ୍ତେଶ୍ୱର ହୋତାଙ୍କୁ ମଠଖାଇ ସମ୍ମାନ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୬ତମ ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଯୋଗଦାନ କରିଛନ୍ତି । ଅଶୋକ ଦାସ ସଭାପତିତ୍ୱରେ ଆୟୋଜିତ ସଭାରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସମାଜକୁ ସଚେତନ କରିବା ପାଇଁ ନାଟ୍ୟ ଆନ୍ଦୋଳନକୁ ଆଗକୁ ନିଆଯିବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି । ମୁଖ୍ୟ ଅତିଥି ସୋଫିଆ କହିଛନ୍ତି ଯେ, ରାଜନୀତି ଶିଖିବାକୁ ପାଇଁ ନରସିଂହ ମିଶ୍ର ଜଣେ ଉଚିତ ମାର୍ଗଦର୍ଶକ । ଆୟୋଜକଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି, ଏହି ଆୟୋଜନ ନିଶ୍ଚିତ ଭାବେ ନାଟ୍ୟଜଗତକୁ ଏକ ଭିନ୍ନ ରୂପରେଖ ପ୍ରଦାନ କରୁଛି । ଡିଜିଟାଲ୍‌ ଦୁନିଆରୁ ବାହାରି ପ୍ରତ୍ୟକ୍ଷ ଭାବେ ନାଟ୍ୟପ୍ରେମୀଙ୍କ ନାଟକ ଦେଖିବାର ରୁଚି ଦେଖି ବହୁତ ଖୁସି ଲାଗୁଛି । ମଠଖାଇ ପାହାଡ ଭଳି ଏହି ମହୋତ୍ସବ ମଧ୍ୟ ଦୀର୍ଘାୟୁ ହେଉ ବୋଲି ସେ କାମନା କରିଛନ୍ତି । ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଟ୍ୟକର୍ମୀ ସନାତନ ଠାକୁର ଯୋଗଦାନ କରି ମଠଖାଇ ମହୋତ୍ସବ ଏକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରଫେସର ଡଃ. ଦତ୍ତେଶ୍ୱର ହୋତାଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ପାଦକ ବ୍ୟାସଦେବ ନନ୍ଦ ମଧ୍ୟ ମଂଚାସୀନ ଥିଲେ । ମଠଖାଇ ସମ୍ମାନ ମାନପତ୍ର ପଠନ କରିଥିଲେ ସାମ୍ବାଦିକ ମୁକେଶ ବହିଦାର । ଧନ୍ୟବାଦ ପ୍ରଦାନ କରିଥିଲେ ବିଜୟ କୁମାର ତ୍ରିପାଠୀ । ମଂଚକୁ ସ୍ୱର୍ଗତ୍‌ ମନୋଜ ମିତ୍ରଙ୍କ ସ୍ମୃତିରେ ସମର୍ପଣ କରାଯାଇଥିଲା । ସଭା ପରେ ଆରମ୍ଭ ହୋଇଥିଲା ହିନ୍ଦୀ ନାଟକ “ଚାନ୍ଦ ଔର ଚକୋର” ।

Leave A Reply

Your email address will not be published.