jayashree

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ଚତୁର୍ଦ୍ଦଶ ଜାତୀୟ ମତଦାତା ଦିବସ

  • ନୂତନ ପଞ୍ଜିକୃତ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ଚତୁର୍ଦ୍ଦଶ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୮ଟା ସମୟରେ କୋଶଳ କଳା ମଣ୍ଡଳ ପରିସରରୁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ରାଲିକୁ ଶୁଭାରମ୍ଭ କରିଥିବା ବେଳେ ବହୁ ସଂଖ୍ୟକ ଏନ୍‌ସିସି, ରେଡ୍‌କ୍ରସ୍‌, ସିଭିଲିଆନ୍‌ ଦଳର ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଏହି ରାଲିରେ ଯୋଗ ଦେଇଥିଲେ । ଉକ୍ତ ରାଲି ଜିଲ୍ଲାପାଳଙ୍କ ଅଫିସ ଦେଇ ବିଇଡି କଲେଜଠାରେ ସମାପ୍ତ ହୋଇଥିଲା । ଏଠାରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ଜାତୀୟ ମତଦାତା ଦିବସ ପାଳନର ଆଭିମୁଖ୍ୟ ଓ ଭୋଟଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଏକ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସ୍ପର୍ଦ୍ଧା ଦ୍ୱାରା ନିଜର ଭୋଟଦାନ ସମ୍ପର୍କିତ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇଥିଲେ । ଉକ୍ତ ଦିବସ ଉପଲକ୍ଷେ ଗାନ୍ଧୀ ସ୍ମୃତି ଭବନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ କହିଥିଲେ ଯେ ଗଣତନ୍ତ୍ରର ମୁଖ୍ୟ ଉପାଦାନ ଭାବେ ନାଗରିକର ମତଦାନ ଅଧିକାର ସାବ୍ୟସ୍ତ ସହ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ଆଜିର ଏହି ଦିବସ ପାଳନ କରାଯାଉଛି । ନାଗରିକଙ୍କୁ ମିଳିଥିବା ମତଦାନର ଅଧିକାର ବ୍ୟବହାର ସହ ଭୋଟ ହାର ବୃଦ୍ଧି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ତତ୍‌ ସହିତ ନୂତନ ଯୁବ ଭୋଟରଙ୍କୁ ଭୋଟଦାନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହା ସହ ଜାତୀୟ ମତଦାତା ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ମତଦାତା ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ସ୍ତରୀୟ ବକ୍ତୃତା ଓ କୁଇଜ଼ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ପ୍ରସ୍ତୁତିରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ୧୮ରୁ ୨୫ ବର୍ଷ ବୟସର ନୂତନ ଭାବେ ପଞ୍ଜିକୃତ ହୋଇଥିବା ୧୦ ଜଣ ନୂତନ ଭୋଟରଙ୍କୁ ନିର୍ବାଚନ ଫଟୋ ପରିଚୟ ପତ୍ର (ଏ.ପି.ଆଇ.ସି) ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.