ls

ବିନିକା ଓ ସୋନପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ : ରେକର୍ଡ ସଂଖ୍ୟାରେ ହାରାହାରି ୮୫.୬୭ ପ୍ରତିଶତ ମତଦାନ

sb

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଆଜି ସୋନପୁର ବ୍ଲକରେ ରେକର୍ଡ ସଂଖ୍ୟାରେ ୮୬.୭୩ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ୧୮୩ଟି ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ପ୍ରତିନିଧି ଚୟନ କରିବା ପାଇଁ ମତଦାନ କରିଛନ୍ତି । ଏଥିପାଇଁ ସମଗ୍ର ବ୍ଲକକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇ ନିରୀକ୍ଷଣରେ ରଖାଯାଇଥିଲା । ସେହିପରି ବିନିକା ବ୍ଲକରେ ୮୪.୬୦ ପ୍ରତିଶତ ମତଦାନ ସହିତ ସୁରୁଖୁରୁ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ୨୦୪ଟି ବୁଥରେ ଭୋଟରମାନେ ମତଦାନ କରିଛନ୍ତି । ଏଥିପାଇଁ ସମଗ୍ର ବ୍ଲକକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇ ନିରୀକ୍ଷଣରେ ରଖାଯାଇଥିଲା । ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନୀଲ ନରୱଣେ ଉଭୟ ବ୍ଲକ ଗସ୍ତ କରି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣରେ ଉଭୟ ବ୍ଲକରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ଭବ ହୋଇପାରିଛି । କୌଣସି ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଖବର ହସ୍ତଗତ ହୋଇ ନାହିଁ । ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟରମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷ ଯାଏଁ ଭୋଟ ଦେଇଥିଲେ । ଉଭୟ ବ୍ଲକରେ ଉତ୍ସାହଜନକ ଭାବରେ ଭୋଟରମାନେ ମତଦାନ କରିଛନ୍ତି । ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୂଲ୍ୟ କୁମାର ନନ୍ଦ ଏଥିପାଇଁ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

pc pk
Leave A Reply

Your email address will not be published.