ଦେଓଗାଁ ବ୍ଲକରେ ପଞ୍ଚାୟତ ନିର୍ବାଚନ ଶେଷ : ୩୧୩ଟି କେନ୍ଦ୍ରରେ ୬୧ହଜାର ୨୧୧ଜଣ କଲେ ମତଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗତକାଲି ଶେଷ ହୋଇଯାଇଛି । ୨୬ଟି ପଞ୍ଚାୟତରେ ଥିବା ୭୫ ହଜାର ୫୪୪ ଜଣ ମତଦାତାଙ୍କ ମଧ୍ୟରୁ ୩୧ ହଜାର ୩୭୫ ପୁରୁଷ ଓ ୨୯ହଜାର ୮୩୬ଜଣ ମହିଲା ମୋଟ ଭାବେ ୬୧ ହଜାର ୨୧୧ଜଣ ମତଦାନ କରିଛନ୍ତି । ଯାହାକି ମୋଟ ଭୋଟରର ୮୧ ପ୍ରତିଶତ ମତଦାନ କରିଥିବା ଜଣାପଡ଼ିଛି । ହେଲେ ଭୋଟର ଲିଷ୍ଟରେ ନାଁ ନ ଥିବାରୁ ବହୁ ଲୋକ ମତଦାନ କରିବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ବ୍ଲକରେ ୩୧୩ଟି ବୁଥରେ ମତଦାନ ହୋଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦେଓଗାଁ ପଞ୍ଚାୟତର ଦେଓଗାଁ ଓ କଛାରପାଲି ସ୍ଥିତ କେନ୍ଦ୍ରରେ ୫ଟି ଲେଖାଏଁ ବୁଥକୁ ପିଙ୍କ ବୁଥ କରାଯାଇଥିବା ବେଳେ ଏଠାରେ ସେଲଫି ଜୋନ ମଧ୍ୟ କରାଯାଇଥିଲା । ଫଳରେ ଭୋଟଦାତାମାନେ ଭୋଟ ଦେବା ପରେ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ୧୨ଟି ମୋବାଇଲ ୟୁନିଟ, ୨ଜଣ ଡିଏସପି, ୪ଜଣ ଇନପ୍ସେଟର, ଗୋଟିଏ ପ୍ଲାଟୁନ ଫୋର୍ସ ସହ ଦେଓଗାଁ ଥାନା ଓ ବନ୍ଧପଡ଼ା ପୁଲିସ ଫାଣ୍ଡିରେ ଗୋଟିଏ ଲେଖାଏଁ ପ୍ଲାଟୁନଫୋର୍ସ ଡ଼୍ୟୁଟି କରିଥିଲେ । ଏହାସହ ୧୭ଟି ଗାଡ଼ିରେ ପୁଲିସ ସହ ଅଫିସର, ସ୍ପେସିଏଲ ସ୍କ୍ବାର୍ଡ଼ ଟିମ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରୁଥିଲେ ।

Leave A Reply

Your email address will not be published.