ମୁରିବାହାଲ, (ଅଜିତ କୁମାର ସାହୁ) : ସରକାରୀ ଗାଇଡ୍ ଲାଇନ୍କୁ ଖୋଲାଖୋଲି ଉଲଘଂନ କରି ଉନ୍ନତି କରଣ ନାଁରେ ଲକ୍ଷ ଲକ୍ଷ ସରକାରୀ ଟଙ୍କା ହଡପ ପାଇଁ ଯାେଜନା ହୋଇଥିବା ଆଲୋଚନା ହେଉଛି । ଜୁନ୍ ୧୫ ପରେ କୌଣସି ମାଟି ଉନ୍ନତିକରଣ କରାଯାଉନଥିବା ସରକାରୀ ଗାଇଡ୍ ଲାଇନ୍ ରହିଛି । ସେହିପରି ସରକାରୀ ଭାବେ କୌଣସି ସ୍ଥାନର ମାଟି ଉନ୍ନତିକରଣ କରାଗଲେ ସେହି କାମର କାର୍ୟ୍ୟାରମ୍ଭ ପୂର୍ବର ଯେଉଁ ବିଭାଗ ଦ୍ୱାରା ସେହି କାର୍ୟ୍ୟ ସମ୍ପାଦନ ଏବଂ ତଦାରଖ କରାଯିବ ସେହି ବିଭାଗ ତରଫରୁ ଫାଇଲ୍ ଖୋଲା ଯିବା ପରେ କାମ ଆରମ୍ଭ କରାଯିବା ସରକାରୀ ନିୟମ ରହିଛି । ହେଲେ ଏସବୁ ନୀତି ନିୟମକୁ ଖୋଲାଖୋଲି ଉଲଘଂନ କରାଯାଇ ବିନା ଫାଇଲ୍ ଖୋଲାରେ ଜୁନ୍ ୧୫ ପରେ କିଭଳି ଭାବେ ଲକ୍ଷ ଲକ୍ଷ ସରକାରୀ ଟଙ୍କା ହଡପ ପାଇଁ ମସାଧୁ ଚାଲିଛି, ତାହାର ଏକ ନମୁନା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ହେଡ୍ କ୍ୱାର୍ଟରରେ ଦେଖିବାକୁ ମିଳିଛି । ସୂଚନା ରହିଛି, ଡି.ଆର୍.ଡି.ଏ ବଲାଙ୍ଗିର ବ୍ଲକ୍ ମୁରିବାହାଲ ଏବଂ ପଞ୍ଚାୟତ ମୁରିବାହାଲ ୨୦୨୦-୨୧ ଆର୍ଥିକ ବର୍ଷ ଏସ୍.ଏଫ୍.ସି ଫଣ୍ଡରୁ ୫ ଲକ୍ଷ ଟଙ୍କା ଅଟକଳ ପରିମାଣରେ ଏହି ମୁଣ୍ଡାର ମାଟି ଉନ୍ନତି କରଣ ହେଉଥିବା କଥା ଉଲ୍ଲେଖ ରହିଛି । ସୂଚନା ଫଳକରେ ଦିଆଯାଇଥିବା ସୂଚନା ଅନୁସାରେ ସଂପୃକ୍ତ ମୁଣ୍ଡାର ପ୍ରାୟ ଅଧାରୁ ଅଧିକାଂଶ ମାଟି ଉନ୍ନତି କାମ ବି ହୋଇ ସାରିଛି । ହେଲେ କାମ ବାବଦରେ ମୁରିବାହାଲ ବ୍ଲକ୍ରୁ କୌଣସି ଫାଇଲ୍ ଖୋଲା ହୋଇନଥିବା ଏବଂ କିଏ କରୁଛି ଏହି କାମ ମୁଁ ଜାଣିନଥିବା କହୁଛନ୍ତି ମୁରିବାହାଲ ବିଡିଓ ପ୍ରିୟରଂଜନ କୁମାର । ସେହିପରି ମୁରିବାହାଲ ବ୍ଲକ୍ ସହକାରୀ ଯନ୍ତ୍ରୀଙ୍କ ଠୁ ଆରମ୍ଭ କରି ଜେଇ ଟି.ଏସ୍. କେ. ପାତ୍ର ଏବଂ ମୁରିବାହାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ ଗୁଣନିଧି ପାଇକ୍ ଏହି ମାଟି ଉନ୍ନତିକରଣ ବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତେବେ ଘଟଣାକୁ ନେଇ ଏଠାରେ ପ୍ରଶ୍ନ ଉଠୁଛି ଯେ, ସୂଚନା ଫଳକ ତିଆରି କରି ଏହି କାମରେ ସରିକାରୀ ଟଙ୍କା ହଡପ କରିବାକୁ ଯୋଜନା କରୁଥିଲା କିଏ ? ହେଡ୍ କ୍ୱାର୍ଟରରେ ଦୀର୍ଘଦିନ ଧରି ଏହି କାମ ହୋଇ ସାରିଥିବା ବେଳେ ଏ ବାବଦରେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଏବଂ ପଞ୍ଚାୟତ ଅଧିକାରୀ ଜାଣି ନାହାଁନ୍ତି କେମିତି ? ନାଁ ସବୁ ଜାଣିଶୁଣି କାର୍ୟ୍ୟାନୁଷ୍ଠାନ ଭୟରେ କିଛି ଜାଣିନଥିବା କହି ଘଟଣାକୁ ଏଡାଇ ବାକୁ ଉଦ୍ୟମ କରୁଛନ୍ତି ବିଭାଗୀୟ ଅଧିକାରୀ ? ଘଟଣାକୁ ନେଇ ବିଭାଗୀୟ ଅଧିକାରଙ୍କ ଏଭଳି ହାବଭାବକୁ ନେଇ ସ୍ଥାନୀୟ ସଚେତନ ନାଗରିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।