ଅନ୍ତର୍ଜାତୀୟ ପ୍ରତିଯୋଗିତା ଓଡିଶା ମାଷ୍ଟର୍ସ

  • ମହିଳା ବିଭାଗ ପ୍ରି-କ୍ୱାର୍ଟରରେ ଉନ୍ନତି ହୁଡ଼ା, ଅନମୋଲ ଖର୍ବ, ତନଭି ଶର୍ମା ଓ ଅଦିତି ଭଟ୍ଟ
  • ପୁରୁଷ ପ୍ରି-କ୍ୱାର୍ଟରରେ ଥରୁନ ମାନେପଲ୍ଲୀ, କିରଣ ଜର୍ଜ, ସତୀଶ କୁମାର ଓ ପ୍ରିୟାଂଶୁ ରାଜୱତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମଠାରେ ଅନ୍ତର୍ଜାତୀୟ ବେଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗର ୭୬ ଟି ମେଚ ହୋଇଯାଇଛି । ଦ୍ଵିତୀୟ ଦିନର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଖେଳାଳୀ, ଆୟୋଜକ ଏବଂ ଦର୍ଶକମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଏ ଅବସରରେ କଟକ ସଦର ବିଧାୟକ ପ୍ରକାଶ ସେଠି, କ୍ରୀଡା ନିର୍ଦ୍ଦେଶକ ଡ଼. ବିଜୟ ୟେଦୁଲ୍ଲା, କଟକ ଜିଲ୍ଲାପାଳ ଦତ୍ତକ୍ଷତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମ ଅଧ୍ୟକ୍ଷା କିରଣ ଦୀପ କୌର ସହଟା, ସିନେମା ଅଭିନେତା ଶ୍ରୀତମ ଦାସ, ପ୍ରତିଯୋଗିତାର ଡାଇରେକଟର ବେଣୁଗୋପାଳ ମହାଲିଙ୍ଗମ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ । ଦ୍ଵିତୀୟ ଦିନରେ ଖେଳାଯାଇଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗରେ ଭାରତୀୟ ଖେଳାଳୀମାନେ ଉତ୍ତମ ପ୍ରଦର୍ଶନ ସହ ପ୍ରି-କ୍ୱାର୍ଟର ପର୍ଯ୍ୟାୟରେ ପହଂଚିଛନ୍ତି ମହିଳା ବିଭାଗର ରାଉଣ୍ଡ ୩୨ ରେ ଟପସିଡ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା, ୟୁନାଇଟେଡ଼ ଆରବ ଏମିରେଟ୍ସର ପ୍ରଭୃତି ଭାରତଙ୍କୁ ୨୧-୧୨, ୨୧-୧୮ ରେ ପରାଜିତ କରି ପ୍ରି-କ୍ଵାଟରରେ ପହଂଚି ଛନ୍ତି । ମହିଳା ପ୍ରି-କ୍ୱାର୍ଟରରେ ପହଞ୍ଚିଥିବା ଅନ୍ୟ ଖେଳାଳୀମାନେ ହେଲେ ତୃତୀୟ ସିଡ ତନଭି ଶର୍ମା, ଷଷ୍ଠ ସିଡ ଅନମୋଲ ଖର୍ବ ଏବଂ ଅଣ ସିଡେଡ଼ ତାନ୍ୟା ହେମନ୍ଥ । ପୁରୁଷ ବିଭାଗ ସିଙ୍ଗଲରେ ମଧ୍ୟ ଟପ ସିଡ ଥରୁନ ମାନେପଲ୍ଲୀ ନିଜ ଦେଶ ଖେଳାଳୀ ମାନବ ଚୌଧୁରୀଙ୍କୁ ୨୧-୫, ୨୧-୮ ର ସହଜ ବିଜୟ ସହ ପ୍ରି-କ୍ୱାର୍ଟରରେ ପହଂଚିଛନ୍ତି । ପ୍ରି-କ୍ୱାର୍ଟର ପର୍ଯ୍ୟାୟରେ ପହଂଚି ସାରିଥିବା ଅନ୍ୟ ଖେଳାଳୀମାନେ ହେଲେ ଗତ ସିଜନର ସିଙ୍ଗଲ ଚାମ୍ପିୟନ ସତୀଶ କୁମାର, ଦ୍ଵିତୀୟ ସିଡ କିରଣ ଜର୍ଜ ଏବଂ ପ୍ରିୟାଂଶୁ ରାଜୱତ । ମିକ୍ସଡ଼ ଡବଲସ ବିଭାଗର ଅନୁଷ୍ଠିତ ରାଉଣ୍ଡ ୩୨ ମେଚରେ ଟପ ସିଡ ଇଣ୍ଡୋନେସିଆର ଏମ. ଫାଜା ଓ ଏ. ପ୍ରଣତାଙ୍କ ଯୋଡି ମାଲେସିଆ ଯୋଡି ୱେଇ ୟୀ ହେର୍ନ ଓ ଭାନୀ ଗୋବି ଯୋଡିଙ୍କୁ ୨୧-୧୮, ୨୧-୧୧ ର ଦୁଇଟି ଗେମରେ ପରାଜିତ କରି କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି । କ୍ୱାର୍ଟର ଫାଇନାଲରେ ପହଂଚିଥିବା ଅନ୍ୟ ଯୋଡିମାନେ ହେଲେ ଇଣ୍ଡୋନେସିଆ ଯୋଡି ବି. ପ୍ରସେତ୍ୱ ଓ ଏ. ମୁଂଗରଣ, ଭାରତୀୟ ଯୋଡି ଆର୍ଯ୍ୟନ ସପିଆ ଓ ଅଶ୍ୱିନୀ ପୋନ୍ନାପ୍ପା ଏବଂ ଡି. ଭେଲ ମୁରୁଗାନ ଓ ପି. ନଟରାଜନଙ୍କ ଯୋଡି । ଭାରତୀୟ ବେଡ଼ମିଣ୍ଟନ ସଙ୍ଘ ଓଡିଶା ସରକାର ଏବଂ ଓଡିଶା ରାଜ୍ୟ ବେଡ଼ମିଣ୍ଟନ ସଙ୍ଘର ମିଳିତ ସହଯୋଗରେ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର ସମାପନ ଆଗାମୀ ୧୪ ତାରିଖରେ ଅନୁଷ୍ଠିତ ହେବ ବୋଲି ପ୍ରତିଯୋଗିତା ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି ।

Leave A Reply

Your email address will not be published.