
ସମ୍ବଲପୁର : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରକୁ ପୁଣି ଥରେ ଫେରିଛି ମାସ୍କ ଓ ଅନ୍ୟ କଟକଣା । ଯଦିଓ ପୂର୍ବରୁ ମାସ୍କ ପିନ୍ଧିବାକୁ କୁହାଯାଉଥିଲା କିନ୍ତୁ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଏକ ଗାଇଡଲାଇନ୍ ଜାରି କରିଛି ସମ୍ବଲପୁର ମହାନଗର ନିଗମ । ଦୋକାନ ବଜାରରେ ସାମାଜିକ ଦୂରତା ସହ ଥର୍ମାଲ୍ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାକଡ଼ ଦୋକାନରେ ଯେଭଳି ଲୋକଙ୍କ ଭିଡ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହାସହ ବଡ଼ ବଡ଼ ହୋଟେଲ ଓ ସପିଂ ମଲରେ କର୍ମଚାରୀ ସହ ଗ୍ରାହକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ନିଜ ସୁବିଧାରେ ଥର୍ମାଲ ସ୍କ୍ରିନିଂ କରିବାକୁ କୁହାଯାଇଛି । ଟିଫିନ୍ ଦୋକାନ, ଚା ଷ୍ଟଲ୍, ଗୁପଚୁପ୍ ଦୋକାନ, ଲସି ସର୍ବତ ଦୋକାନ ସହ ସିନେମା ହଲ୍, ଥିଏଟର, ଅଡିଟୋରିୟମ୍ରେ ଗହଳି ନକରିବାକୁ ନିର୍ଦ୍ଦେଶ ହୋଇଛି । ଏହାସହ ଏସ୍ଏମ୍ସି ଅଞ୍ଚଳରେ ଥିବା କିମ୍ବା ଏଠାକୁ ଆସୁଥିବା ଲୋକ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ କୋଭିଡ୍ ଗାଇଡ୍ଲାଇନ୍ ଉଲଂଘନ ପାଇଁ ଦଣ୍ଡିତ କରାଯିବ ।