ସୋହେଲା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା, ଚାଷୀଙ୍କ ସମ୍ପୁର୍ଣ୍ଣ ଋଣ ଛାଡ, ଚାଷ ପାଇଁ ଦିଆଯାଉଥିବା ବିଜୁଳି ବିଲ୍ ଛାଡ଼, କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ୩ କୃଷି ବିଲ୍ ପ୍ରତ୍ୟାହାର ଆଦି ୮ ଦଫା ଦାବୀରେ ଆଜି ଜୟ କିଷାନ ଆନ୍ଦୋଳନ, ସୋହେଲା ବ୍ଲକ ଶାଖା ପକ୍ଷରୁ ସୋହେଲା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଅନାବୃଷ୍ଟି ଯୋଗୁଁ ସୋହେଲା ବ୍ଲକରେ ସମ୍ପୁର୍ଣ୍ଣ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଧାନ ଛଡ଼ା ଏ ଅଞ୍ଚଳରେ ମୁଗ, ବିରି, ଚିନାବାଦାମ ଆଦି ଫସଲ ମଧ୍ୟ ଚାଷ କରାଯାଏ । ଯାହାକି ଅନାବୃଷ୍ଟି ଯୋଗୁଁ ଉଜୁଡି ଯାଇଛି । ଗତ ଦେଢବର୍ଷ ହେବ କରୋନା ମହାମାରୀ କଟକଣା ଯୋଗୁଁ ପନିପରିବା, ଦୁଗ୍ଧ ଆଦି ଉତ୍ପାଦକୁ ଚାଷୀମାନେ ଶସ୍ତା ଦରରେ ବିକ୍ରି ତଥା ବିକ୍ରି ନହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଅପରପକ୍ଷରେ ଏହି ବ୍ଲକ ଅଞ୍ଚଳରେ ଚାଷୀ ଓ ଚାଷର ଉନ୍ନତି ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କରିପାରି ନାହାନ୍ତି ବୋଲି ଚାଷୀ ନେତାମାନେ ବିକ୍ଷୋଭ ସଭାରେ ଅଭିଯୋଗ କରିଥିଲେ । ଶେଷରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସୋହେଲା ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଜୟ କିଷାନ ଆନ୍ଦୋଳନର ସୋହେଲା ବ୍ଲକ ଶାଖା ସଭାପତି ସୁରେନ୍ଦ୍ର ମେହେର ଏବଂ ସରୋଜ ବାରିକଙ୍କ ନେତୃତ୍ୱରେ ଚାଷୀ ନେତା ଲିଙ୍ଗରାଜ, ରମେଶ ମହାପାତ୍ର, ହର ବନିଆ ପ୍ରମୁଖ ବହୁ ଚାଷୀ ନେତା ସାମିଲ ଥିଲେ ।

Leave A Reply

Your email address will not be published.