ଦେଓଗାଁରେ ଧକ୍କା ଦେଲା ମୌସୁମୀ : ମରୁଡି ଚିନ୍ତାରେ ଚାଷୀ

  • ବର୍ଷା ପାଇ ୪ଶହ ଫୁଟ ପାହାଡ଼ ଚଢ଼ି କଲେ ଇନ୍ଦ୍ର ପୂଜା
  • ସାମିଲ ହେଲେ ୧୫ ଖଣ୍ଡ ଗାଁ ଲୋକେ

ଦେଓଗାଁ, (କେପିଏନ୍‌ଏସ୍‌) : ଆକାଶରେ ମେଘ ମାଳ ମାଳ ଥିଲେ ବି ବର୍ଷା ହେଉନଥିବାରୁ ଧାନ ଗଛ ମରିବାକୁ ବସିଛି । ମାଟି ଫାଟି ଆଁ କରିଛି । ଏପରି ସ୍ଥିତିରେ ଚାଷକୁ ନେଇ ଚିନ୍ତାରେ ଥିବା ଚାଷୀ ବିରାଟ ଶୋଭାଯାତ୍ରାରେ ବାହାରି ୪ଶହ ଫୁଟ ପାହାଡ଼ ଚଢ଼ି ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋମଯଜ୍ଞ କରିଛନ୍ତି ଦେଓଗାଁ ବ୍ଲକର ହାତୀସରା ଗାଁରେ । ଏହି ଗାଁର ଇଷ୍ଟଦେବ ହେଉଛନ୍ତି ଭାଲୁବୁଢ଼ା । ନିକଟସ୍ଥ ଗୁଡ଼ଭେଲା ବ୍ଲକର ଡଙ୍ଗାପଥର ଠାରେ ରହିଛି ଭାଲୁ ଡଙ୍ଗର । ଏହି ଡଙ୍ଗରର ଉଚ୍ଚତା ୫ଶହ ଫୁଟରୁ ଅଧିକ ହେବ । ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏହି ପାହାଡ଼ ଉପରେ ଭାଲୁବୁଢା ବାସ କରୁଥିବାର ଆଦିମ କାଳରୁ ବିଶ୍ଵାସ ରହିଛି । ଯାହାଫଳରେ ହାତୀସରା ଗାଁ ଲୋକଙ୍କ ସହ ଗୁଡ଼ଭେଲା, ସଇଁତଳା ବ୍ଲକର ୧୫ ଖଣ୍ଡ ଗାଁ ଲୋକେ ଏକତ୍ରିତ ହୋଇ ହାତୀସରା ଗାଁ ମଝିରେ ଥିବା ଦେହେରୀ ଘରୁ ପୂଜା ସାମଗ୍ରୀ ନେଇ ଭାଲୁ ଡଙ୍ଗର ପାହାଡ଼ ଚଢ଼ି ହୋମଯଜ୍ଞ କରିଛନ୍ତି । ଏଥିରେ ଶହ ଶହ ମହିଳା ପୁରୁଷ ସାମିଲ ହୋଇ ଭାଲୁ ବୁଢା ନିକଟରେ ପୂଜା କରି ବର୍ଷା ପାଇଁ ଘିଅ ଗୋରୋସ ଢ଼ାଳିଥିଲେ । ଢୋଲ, ନିଶାନ, ମୁହୁରୀ ବାଜିବା ପରେ ବରୁଆ ଦେହରେ ଦେବୀ ଆବିର୍ଭାବ ହୋଇ ପାହାଡ଼ ଉପରେ ଭକ୍ତଙ୍କ ଗୁହାରୀ ଶୁଣିବା ପରେ ବାଜାର ତାଳେ ତାଳେ ନୃତ୍ୟ କରି ଳୋକଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ତେବେ ଏହି ପରମ୍ପରା ୩୦ବର୍ଷ ତଳେ ହୋଇଥିଲା । ଏବେ ପୁଣି ମରୁଡ଼ି ସମୟରେ ଏଭଳି ପୂଜା କାର୍ଯ୍ୟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି ପୂଜା କାର୍ୟ୍ୟରେ ଝସକେତନ ଗଡତ୍ୟା କର୍ତ୍ତା ଭାବରେ ବସିଥିବା ବେଳେ ପଣ୍ଡିତ ସୁଦର୍ଶନ କର ପୂଜା ସମ୍ପାଦନା କରିଥିଲେ । ହାତୀସରା ଗାଁ ଲୋକଙ୍କ ସହଯୋଗରେ ଏହି ପୁଜା କାର୍ଯ୍ୟଟି ହୋଇଥିଲା ।

jittmm
Leave A Reply

Your email address will not be published.