
- କାର୍ଯ୍ୟକ୍ଷମ ନ ହେଲେ ଆନ୍ଦୋଳନ ନିଷ୍ପତ୍ତି
ବାରିପଦା, (ଦେବସ୍ମିତ ଚୌଧୁରୀ) : ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲକୁ ରଙ୍ଗା ମାଟିଆ ସ୍ଥିତ ନୂତନ ଶିକ୍ଷାଦାନ ହସ୍ପିଟାଲକୁ ସୁଗମ ସ୍ଥାନାନ୍ତର ଏବଂ ସେଠାରେ କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡାଙ୍କୁ ସାକ୍ଷାତ କରି ଆଲୋଚନା କରିବାସହ ମୟୂରଭଞ୍ଜ ଜିଲ୍ଲାପାଳ, ଓଡ଼ିଶାସରକାରଙ୍କ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କାରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ୫୬ ପ୍ରତିଶତରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ରହିଛନ୍ତି । ଏମାନଙ୍କ ଆର୍ଥିକସ୍ଥିତି ସ୍ଵଚ୍ଛଳ ନ ଥିବାରୁ ସରକାରୀ ଚିକିତ୍ସା ଉପରେ ପ୍ରାୟ ନିର୍ଭର କରନ୍ତି । ୨୦୧୭ ମସିହାରେ ବାରିପଦା ସ୍ଥିତ ରଙ୍ଗାମାଟିଆଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ, ୨୦୧୭ ମସିହାରେ ବାଲେଶ୍ଵରଠାରେ ଫକୀର ମୋହନ ମେଡିକାଲ୍ କଲେଜ ଏଣ୍ଡ ହସ୍ପିଟାଲ, ୨୦୧୮ ମସିହାରେ ବଲାଙ୍ଗିରଠାରେ ଭୀମ ଭୋଇ ମେଡିକାଲ୍ କଲେଜ ଏଣ୍ଡ ହସ୍ପିଟାଲ ଏବଂ ୨୦୨୨ ମସିହାରେ କେନ୍ଦୁଝରଠାରେ ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ନିର୍ମାଣ କରିଥିଲେ । କିନ୍ତୁ ଏହି ସବୁ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଅନ୍ତଃବିଭାଗ ଏବଂ ବର୍ହିବିଭାଗ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଥିବାବେଳେ ବାରିପଦା ସ୍ଥିତ ରଙ୍ଗାମାଟିଆ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଥିବା ସତ୍ତ୍ୱେ ଅନ୍ତଃବିଭାଗ ଏବଂ ବର୍ହିବିଭାଗ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇନାହିଁ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ବହୁ ଅବ୍ୟବସ୍ଥା ଯୋଗୁଁ ଲୋକେ ଠିକ୍ ଭାବେ ସ୍ଵାସ୍ଥ୍ୟ ସେବା ପାଇପାରୁ ନ ଥିବାବେଳେ ପ୍ରାୟ ରୋଗୀମାନଙ୍କୁ କଟକ ପଠାଯାଉଛି । ସରକାରୀ ଡାକ୍ତରଖାନା ଗୁଡିକରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବାରୁ ସେମାନେ ଗୁଣିଗାରେଡି, ଝଡାଫୁଙ୍କା ଆଦି ଅନ୍ଧବିଶ୍ଵାସକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି । ଫଳରେ ପ୍ରତ୍ୟେକ ବର୍ଷ ଶହଶହ ଲୋକଙ୍କ ଜୀବନ ଯାଉଛି । ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲରେ ଜେନେରାଲ ମେଡିସିନ୍ ବିଭାଗ, ଚର୍ମ ଏବଂ ଭିଡି ବିଭାଗ, ମାନସିକ ରୋଗ ବିଭାଗ, ଚକ୍ଷୁ ଏବଂ କାନ, ନାକ, ଜିୱା ବିଭାଗର ଅନ୍ତଃବିଭାଗ ଏବଂ ବର୍ହିବିଭାଗ ଗୁଡୁକୁ କାର୍ଯ୍ୟକ୍ଷମ କରିବାସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକର କାର୍ଯ୍ୟକ୍ଷମ ପାଇଁ ମାରିସା ପକ୍ଷରୁ ଦୃଢ ଦାବୀ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପଦକ୍ଷେପକୁ ମାରିସା ଅପେକ୍ଷା କରିଛି ନିରାଶ ହେଲେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ମାରିସା ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାସମାତ୍ ହେମ୍ବ୍ରମ, ସମାଜ ସେବୀ ଅନନ୍ତ ମୁର୍ମୁ, କିଶୁନ ହେମ୍ବ୍ରମ, ହ୍ୟାପି ମୁର୍ମୁ, ରଥ ଟୁଡୁ, ଅଜୟ ମାର୍ଣ୍ଡି, ସୁକିନ୍ଦ୍ର ଟୁଡୁ, ମିଶ୍ର ଗୁଲୁଠୁ, ଦିକୁ ଟୁଡୁ, ଯୋଗେ ଦାଦା ଉପସ୍ଥିତ ଥିଲେ ।