ଜାତୀୟ କ୍ରୀଡ଼ା ଦିବସରେ ଉପଖଣ୍ଡ କ୍ରୀଡ଼ା ସଙ୍ଘ ପକ୍ଷରୁ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ହକିର ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ । ଏହି ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନକରୁଛି ସାରା ଦେଶ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଙ୍ଘ ପକ୍ଷରୁ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଆଦିବାସୀ ମହାବିଦ୍ୟାଳୟ ଯାଏଁ ଏବଂ ସେଠାରୁ ପୁଣି ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ସମାପ୍ତ ହୋଇଥିଲା ଏହି ମିନି ମାରାଥନ୍ । ଉପଖଣ୍ଡ କ୍ରୀଡ଼ା ସଙ୍ଘର ସଭାପତି ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ.ରୀନା ପ୍ରଧାନ ଓ ଏସଡିପିଓ ରାହୁଲ ଗୋଏଲ୍ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସମ୍ମୁଖରୁ ପତାକା ଦେଖାଇ ମିନି ମାରାଥନର ଶୁଭାରମ୍ଭ କରିଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩୦୦ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଉପଖଣ୍ଡ କ୍ରୀଡ଼ା ସଙ୍ଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ଯୁବପିଢ଼ିଙ୍କ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ସଙ୍ଘର ସଭାପତି ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ.ରୀନା ପ୍ରଧାନ । ଏଥିରେ ବାଳକ ଓ ବାଳିକା ବର୍ଗରୁ ୧୦ ଜଣ କୃତି ଯୁବକ, ଯୁବତୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ “ମାଁ ପାଇଁ ଗଛଟିଏ” ଉଦ୍ଦେଶ୍ୟରେ ଷ୍ଟାଡିୟମ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଓ ଏସଡିପିଓଙ୍କ ସମେତ ଉପଖଣ୍ଡ କ୍ରୀଡ଼ା ସଙ୍ଘର ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ତୀର୍ଥବାସୀ ଘଡେ଼ଇଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ ।

Leave A Reply

Your email address will not be published.