ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ ରାସ୍ତାଟି ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟି ଯାଇଛି । ବାରମ୍ବାର ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅବଗତ ପରେ ମଧ୍ୟ ସୁଧୁରିନାହିଁ । ପ୍ରକାଶ ଯେ, ବାରଖମା ଠାରୁ ରେବିଙ୍ଗିଆ ଭାୟା ସୀତାପଡି ଦୀର୍ଘ ୧୫ କିମି ରାସ୍ତାକୁ ୧୮ କୋଟିରୁ ଅଧିକ ବ୍ୟୟରେ କରାଯାଇ ପ୍ରାୟ ବର୍ଷେ ହେଲା କାମ ଆରମ୍ଭ ହୋଇଥିଲେ ହେଁ ସରିବାର ନା ଗନ୍ଧ ଧରୁନି । ଏହି ରାସ୍ତାଟି ସମ୍ପୂର୍ଣ୍ଣ ତିଆରି ହୋଇଗଲେ ବାରଖମା ଓ ରେବିଙ୍ଗିଆ ପଞ୍ଚାୟତକୁ ସଂଯୋଗ କରିବା ସହ ଦୁଇ ପଞ୍ଚାୟତର ଶତାଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀମାନେ କହିଛନ୍ତି । ବାରଖମା ଓ ରେବିଙ୍ଗିଆ ଏହି ଦୁଇ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ସମେତ କୋର୍ଟ, କଚେରୀ, ଆଦି ସମସ୍ତ ସରକାରୀ କାର୍ଯ୍ୟ ପାଇଁ ବାରଖମା ଓ ବାଲିଗୁଡା ଉପରେ ଭରସା କରୁଛନ୍ତି । ରାସ୍ତା ଶୋଚନୀୟ ଥିବା ଯୋଗୁଁ ଯାତାୟାତରେ ଅସୁବିଧା ହେବା ସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମାନ ମଧ୍ୟ ଘଟୁଛି । ରାସ୍ତା କାମ କରୁଥିବା ଠିକା ସଂସ୍ଥା ଏହି ରାସ୍ତାକୁ ଖୋଳି ମରଣଯନ୍ତା କରି ପକାଇଛନ୍ତି । ତୁରନ୍ତ କାମ ହେଉନି ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ବାବଦରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ବୁଲୁ ପାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା କାମ କରୁଥିବା ଠିକାଦାରଙ୍କୁ ତୁରନ୍ତ କାମ ଶେଷ କରିବାକୁ ବାରମ୍ବାର କୁହାଯାଉଛି । କିନ୍ତୁ ସେ କାମ ନକରି ବିଳମ୍ବ କରୁଛନ୍ତି । ଠିକାଦାରଙ୍କ ନିକଟକୁ ଅଧୂକାଂଶ ଥର ଚିଠି ମଧ୍ୟ କରାଯାଇଛି । ତଥାପି ଚେଷ୍ଟା ଆମେ ଚେଷ୍ଟା ଜାରୀ ରଖିଛୁ, ତୁରନ୍ତ ରାସ୍ତାକାମ ଶେଷ କରିବାକୁ । ଅନ୍ୟପଟେ ରାସ୍ତା ଶୀଘ୍ର କରାନଗଲେ ଅଞ୍ଚଳବାସୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।