ଶ୍ରୀ ଜଗନ୍ନାଥ ମନ୍ଦିରରେ ୫ ବର୍ଷରେ ୭୫ଟି ମରାମତି କରିଛି ଏଏସ୍‌ଆଇ

  • ନାଟ ମଣ୍ଡପ ଅସୁରକ୍ଷିତ – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଅନ୍ତର୍ଗତ ସମସ୍ତ ପାର୍ଶ୍ଵ ଦେବାଦେବୀ ମନ୍ଦିର ଓ ଢାଞ୍ଚାରେ ଗତ ୫ ବର୍ଷ ମଧ୍ୟରେ ୭୫ଟି ମରାମତି କାର୍ଯ୍ୟ କରାଯାଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡିଛି । ବିଗତ ୫ ବର୍ଷ ଯଥା ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୨୧-୨୨ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ମରାମତି କାର୍ଯ୍ୟ କରାଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି । ଏଏସ୍‌ଆଇ ପକ୍ଷରୁ ଦୁଇ ପ୍ରକାର ମରାମତି କାର୍ଯ୍ୟ ଯଥା ବାର୍ଷିକ ମରାମତି ଓ ଢାଞ୍ଚାଗତ ମରାମତି କରାଯାଉଛି । ଶ୍ରୀମନ୍ଦିର ଗର୍ଭ ଗୃହରେ ପ୍ରତ୍ୟେକ ବର୍ଷ ବାର୍ଷିକ ମରାମତି କରାଯାଉଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ପ୍ରାୟତଃ ଢାଞ୍ଚାଗତ ମରାମତି କରାଯାଉଥିବା ଜଣାପଡିଛି । ନାଟ ମଣ୍ଡପ ଓ ଭୋଗ ମଣ୍ଡପରେ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଢାଞ୍ଚାଗତ ମରାମତି କରାଯାଇଥିଲେ ମଧ୍ୟ ୨୦୨୧-୨୨ ବର୍ଷରେ ନାଟ ମଣ୍ଡପରେ ପୁଣି ଏକାଧିକ ଫାଟ ଦେଖାଯାଇଥିବା କଥା ତଥ୍ୟରେ ଉଲ୍ଲେଖ ରହିଛି । ଏହି ଫାଟକୁ ୨୦୨୨-୨୩ ବର୍ଷରେ ସଂରକ୍ଷଣ କରାଯାଇଛି । ନାଟ ମଣ୍ଡପରେ ବାରମ୍ବାର ମରାମତି କାର୍ଯ୍ୟ କରାଯାଉଥିଲେ ମଧ୍ୟ ପୁଣି ଫାଟ ଦେଖାଦେଉଥିବା ବିଶ୍ୱର କୋଟି କୋଟି ଶ୍ରୀ ଜଗନ୍ନାଥ ଶ୍ରଦ୍ଧାଳୁମାନଙ୍କ ପାଇଁ ଚିନ୍ତାର ବିଷୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ତଥ୍ୟକୁ ଅନୁଧ୍ୟାନ କଲେ ନାଟ ମଣ୍ଡପ ଅସୁରକ୍ଷିତ ବୋଲି ସ୍ପଷ୍ଟ ଜଣାପଡୁଛି ବୋଲି ସେ କହିଛନ୍ତି । ନାଟ ମଣ୍ଡପର ମରାମତି କେବଳ କାଗଜପତ୍ରରେ ହେଉଛି ନା ଯତ୍ନଶୀଳ ଭାବେ କାର୍ଯ୍ୟରେ କରାଯାଉଛି ଏହା ସନ୍ଦେହ ଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ବାହାରେ ହେଉଥିବା ନିର୍ମାଣ ଜନିତ ଖନନ ପାଇଁ ମଧ୍ୟ ଏହି ଫାଟ ଦେଖାଦେଉଥିବା କଥାକୁ ଏଡାଇ ଦେଇ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ସରକାର, ମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ଅତ୍ୟନ୍ତ ସତର୍କତାର ସହିତ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସମ୍ବେଦନଶୀଳ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି ।
ହେମନ୍ତ କୁମାର ପଣ୍ଡା

Leave A Reply

Your email address will not be published.