jayashree

ମାଓବାଦୀ ସହିଦ ସପ୍ତାହ ପୂର୍ବରୁ ପୋଷ୍ଟର ଜାରି କଲା ମାଓ ସଂଗଠନ

କଳାହାଣ୍ଡି, (ପି.କେ. ସାହୁ) : ଜୁଲାଇ ମାସ ୨୮ରୁ ଅଗଷ୍ଟ ମାସ ୩ ତାରିଖ ଯାଏଁ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ । ଏହି ଅବସରରେ ପୋଷ୍ଟର ଜାରି କରିଛି ମାଓ ସଂଗଠନ । କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ନିକଟସ୍ଥ ଶଗଡ଼ାଠାରେ ଗତକାଲି ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଇଥିଲା । ମାଓ ସଂଗଠନ କେକେବିଏନ୍ ଡିଭିଜନାଲ କମିଟି ଭାକପା (ମାଓବାଦୀ) ପକ୍ଷରୁ ସହିଦ ସପ୍ତାହକୁ ସମସ୍ତେ ସହଯୋଗ କରିବାକୁ ଆହ୍ବାନ ଦେବା ସହିତ ରେଣ୍ଡା ମାଝୀର ଉତ୍ତରାଧିକାରୀ ଭାବରେ ଅମର ସହିଦ ଯୋଡ଼ି କମ୍ରେଡ ଲଳିତ, ନମିତାକୁ ସମବେଦନା ନିମନ୍ତେ ଗାଁ ଗାଁରେ ଶୋକ ସଭା ଆୟୋଜନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛି ।

ଏଥିସହ ଅମର ସହୀଦମାନଙ୍କ ସ୍ବପ୍ନର ସାମ୍ୟବାଦ ପ୍ରତିଷ୍ଠା ପାଇଁ ଗେରିଲା ଯୁଦ୍ଧ ଦ୍ଵାରା ଫାଶୀବାଦି ସମାଧାନ, ପ୍ରହାର ଦମନକୁ ପରାସ୍ତ କରିବା, ଗାଁ ଗାଁରେ ଥିବା ପୁଲିସ୍ ସୂଚନାଦାତାଙ୍କୁ ଚିହ୍ନଟ, ବ୍ରାହ୍ମଣୀୟ ହିନ୍ଦୁତ୍ୱ ଫାଶୀବାଦିକୁ ହରାଇ ଅଳ୍ପ ସଂଖ୍ୟକ ଲୋକଙ୍କୁ ସଂଗଠିତ କରିବା, ଅମର ଶହୀଦଙ୍କ ସ୍ବପ୍ନକୁ ପୂରଣ କରିବା, ସହୀଦଙ୍କ ବଳିଦାନକୁ ଉର୍ଦ୍ଧ୍ବରେ ଟେକି ଧରିବା ଭଳି ଅନେକ ଦାବୀ ରଖିଛି ମାଓ ସଂଗଠନ । ଏଥିସହିତ ଲଳିତ ଓ ନମିତାଙ୍କ ମାଓ ସଂଗଠନରେ ଭୂମିକା ସମ୍ପର୍କରେ ଏକ ପୋଷ୍ଟର ମଧ୍ୟ ଜାରି କରିଛି । ତେବେ ଏହି ସବୁ ପୋଷ୍ଟର ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଦେଖାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ମେ’ ମାସ ୯ ତାରିଖରେ ଟାପରେଙ୍ଗଠାରେ ଲଳିତଙ୍କ ମୃତ୍ୟୁ ହେଇଥିଲା ଏହା ପରେ ଏହି ଘଟଣାକୁ ବିରୋଧ କରି ଜୁନ୍ ୨୪ରେ ମ.ରାମପୁର ବ୍ଲକ୍ ଅନ୍ତର୍ଗତ ମାଣୀ କେରା ଅଞ୍ଚଳରେ ମାଓ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ଲଗାଯାଇ ଘଟଣାର ନିନ୍ଦା କରାଯାଇଥିଲା । ଏହାର ମାସେ ପରେ ପୁଣି ଏହି ପୋଷ୍ଟର ଗୁଡ଼ିକ ମାଓ ସଂଗଠନର ଉପସ୍ଥିତିକୁ ଜାହିର କରୁଛି ।

Leave A Reply

Your email address will not be published.