- ସମାଜରେ ମାନବତାର ମୃତ୍ୟୁ ଘଟିଛି : ମାଓ ସଂଗଠନ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତର ଟାପରେଙ୍ଗ ଗାଁରେ ଗତ ମଇ ମାସ ୯ ତାରିଖ ସକାଳୁ ଘଟିଥିବା ପୁଲିସ୍ ଓ ମାଓବାଦୀଙ୍କ ଗୁଳି ବିନିମୟ ଘଟଣା ପରେ ଆଜି ସକାଳୁ ସକାଳୁ ପୁଣି ସେହି ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ସଂଗଠନ ଏହି ହତ୍ୟାକୁ ଅମାନବୀୟ କହିବା ସହ ପୁଲିସ୍ର ବର୍ବରତାକୁ ନିନ୍ଦା କରିଛି । କୃରତାକୁ ଲୁଚାଇ ଏନ୍କାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ମାଓ ସଂଗଠନ । ତେବେ ଘଟଣାର ଠିକ୍ ଦେଢ଼ ମାସ ପରେ ଗତ ରାତିରେ ଏହି ଗାଆଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଉକ୍ତ ଗୁଳି କାଣ୍ଡରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ନିହତ ତିନି ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶ ରହିଥିବା ବେଳେ ସମସ୍ତଙ୍କ ମାଓ ସଂଗଠନରେ ଭୂମିକା ସମ୍ପର୍କରେ ତଥ୍ୟ ଉଲ୍ଲେଖ ରହିଛି । ଲଳିତଙ୍କ ପ୍ରଥମ ପତ୍ନୀ ନମିତାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ଟାପରେଙ୍ଗା ଗାଁରେ ନିହତ ହେବାର ଏକ ସପ୍ତାହ ପୂର୍ବରୁ ଦ୍ୱିତୀୟ ବିବାହ କରିଥିବା ଏହି ପୋଷ୍ଟରରେ ଲେଖା ହୋଇଛି । ଏଥି ସହିତ ଜୁନ ୨୫ ତାରିଖ ବନ୍ଦ୍କୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ କରିଛି ମାଓ ସଂଗଠନ । ତେବେ ଗତ ରାତିରେ ଉକ୍ତ ଅଞ୍ଚଳରେ ଅଳ୍ପ ବର୍ଷା କାରଣରୁ ପୋଷ୍ଟରର କିଛି ଲେଖା ଲିଭି ଯାଇଥିଲେ ହେଁ ମାଓବାଦୀଙ୍କ ପୁଣି ଉପସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମନରେ ପୁଣି ଥରେ ଭୟ ସଂଚାର ହୋଇଥିବା ଜଣାଯାଇଛି ।