ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ଉପାନ୍ତ ସିନାପାଲି ଥାନା ନଙ୍ଗଲବୋଡ଼ ଅଞ୍ଚଳରେ ଉପସ୍ଥିତି ଜାହିର କଲେ ମାଓବାଦୀ । ମାଓବାଦୀମାନେ ଏହି ପୋଷ୍ଟରରେ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଦର୍ଶାଇଛନ୍ତି । ଏହି ପୋଷ୍ଟରରେ ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟି ଲେଖା ହୋଇଛି । ସୂଚନାନୁଯାୟୀ, ସିନାପାଲି ବ୍ଲକ ନଙ୍ଗଲବୋଡ଼ ନିକଟ ଫୁଲଚି ରାସ୍ତାକଡରେ ଏକ ଫରେଷ୍ଟ ବୋର୍ଡ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗେଟରେ ଧଳା କାଗଜରେ ସବୁଜ ରଙ୍ଗରେ ଲେଖା ହୋଇଥିବା ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ଯେ, ଅଞ୍ଚଳର ନଙ୍ଗଲବୋଡ଼ ଗାଁର ସମୁଦ୍ର ବାଗ ନାମକ ଜଣେ ବ୍ୟକ୍ତି ମାଓବାଦୀଙ୍କୁ ଚିକିତ୍ସା ପାଇଁ ଯାଉଥିଲେ । ସେହି ସମୟରେ ଦୁଇ ଜଣଙ୍କୁ ନବରଙ୍ଗପୁର ଡିଭିଏଫ୍ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ସମୁଦ୍ର ବାଗକୁ ପାର୍ଟି ମେମ୍ବର ଦର୍ଶାଇଥିଲା ପୋଲିସ । ହେଲେ ଏହାକୁ ମାଓବାଦୀମାନେ ଖଣ୍ଡନ କରିଛନ୍ତି । ସମୁଦ୍ର ବାଗ ପାର୍ଟି ମେମ୍ବର ନୁହେଁ ବୋଲି ପୋଷ୍ଟରରେ ଉଲ୍ଲେଖ କରିବା ସହ ଗିରଫ ଦୁଇ ଜଣଙ୍କୁ ୨୪ ଘଣ୍ଟା ଭିତରେ ପୋଲିସ କୋର୍ଟ ଚାଲାଣ କରି ନଥିବା ସମ୍ଵିଧାନ ନିୟମର ଉଲ୍ଲଙ୍ଘନ ବୋଲି ମାଓବାଦୀମାନେ ଉଲ୍ଲେଖ କରିଛନ୍ତି ।
Next Post