ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ

ମ.ରାମପୁର, (ହେମନ୍ତ ସାହୁ) : ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ହୃଦୟ ବିଦରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ । ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଆଜି ସ୍ଥାନୀୟ ଦୁଲେନ କଲାର୍ଖୁଣ୍ଟା ବ୍ରିଜରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ଘଟଣା ସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଏହି ବିସ୍ପୋରଣ ହୋଇଥିଲା । ଏଥିରେ ମୁହଁ ଓ ହାତ ଗୋଡ଼ ତଥା ଶରୀରରେ ଆହତ ହେବା ସହ ବାଇକ ଛିଟିକି ପଡି ଘଟଣା ସ୍ଥଳରେ ହିଁ ରୋହିତ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକ ମୃତ୍ୟୁବରଣ କରିବା ଏହା ପ୍ରଥମ ଘଟଣା ବୋଲି ଜଣାପଡିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ମାଓବାଦୀ ମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ଏଠି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବା ଦାବୀ କରିଥିଲେ ଓ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଆହ୍ଵାନ କରିଛନ୍ତି ।

Leave A Reply

Your email address will not be published.