ପଞ୍ଚୁପାଣ୍ଡବଙ୍କ ବନବାସ ସ୍ଥଳ ମହେନ୍ଦ୍ରଗିରି ପର୍ବତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ – ମନ୍ତ୍ରୀ ବିଭୂତି ଜେନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ଅବସ୍ଥିତ ମହେନ୍ଦ୍ରଗିରି ପର୍ବତକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ ବୋଲି ମହେନ୍ଦ୍ରଗିରି ପର୍ବତକୁ ପରିଦର୍ଶନରେ ଆସି ରାଜ୍ୟ ଖଣି ଓ ଇସ୍ପାତ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ’ ଏହି ପର୍ବତ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ ଏହାର ସ୍ଵତନ୍ତ୍ର ସ୍ଥାନ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କ୍ଷେତ୍ରକୁ ରାମାୟଣ ସର୍କିଟରେ ସ୍ଥାନୀତ କରିଛନ୍ତି । ବେଦ ଓ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି ମହେନ୍ଦ୍ରଗିରିର ଇତିହାସ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଠି ବର୍ତ୍ତମାନ ମଧ୍ୟ ଭଗବାନ ପର୍ଶୁରାମ ତପସ୍ୟାରତ ଥିବା ଅନେକ ବ୍ୟକ୍ତି ମତ ଦିଅନ୍ତି ବୋଲି ମହେନ୍ଦ୍ରଗିରି ପର୍ବତକୁ ପରିଦର୍ଶନରେ ଆସି ଖଣି ଓ ଇସ୍ପାତ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ’ ଗୋଟିଏ ଦିନରେ ୬ଟି ଋତୁର ଅନୁଭବ ହେଉଥିବା ବିରଳ ପରିବେଶ ସମ୍ପନ୍ନ ମହେନ୍ଦ୍ରଗିରି ପର୍ବତ ଏକ ନିଆରା ଭାବ ପରମ୍ପରା ଅଟେ । ଯାହା ଏଠାରେ ଉପଭୋଗ କରି ହୁଏ । ଏହି ପର୍ବତ ପଞ୍ଚୁପାଣ୍ଡବଙ୍କ ବନବାସ ପାଇଁ ଖ୍ୟାତି ଅର୍ଜନ କରିଥିବା କିମ୍ବଦନ୍ତୀ ରହିଛି । ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ କହିବା ଅନୁଯାୟୀ ହନୁମାନ ମଧ୍ୟ ସୀତାଙ୍କୁ ଠାବ କରିବାକୁ ଏହି ପର୍ବତରୁ ଲମ୍ପ ମାରିଥିବା ପୁରାଣରେ ବର୍ଣ୍ଣିତ ରହିଥିବା କୁହାଯାଇଛି । ନିଶ୍ଚିତ ଭାବେ ଏହାର ଉନ୍ନତି ହେବା ଆବଶ୍ୟକ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ମହେନ୍ଦ୍ରଗିରି ତୀର୍ଥକ୍ଷେତ୍ର ରୂପେ ନିଶ୍ଚିତ ସ୍ଥାନ ପାଇବ ବୋଲି ଜଣାପଡିଛି । ଏପରିକି ମହେନ୍ଦ୍ରତନୟା ନଦୀରେ ଜଗନ୍ନାଥଙ୍କ ମୂର୍ତ୍ତି ଭାସିଯାଇ ଶ୍ରୀକ୍ଷେତ୍ର ପୁରୀ ସ୍ୱର୍ଗଦ୍ୱାରରେ ଠାବ ହୋଇଥିଲା । ପନ୍ଦର ବର୍ଷ ହେବ ପ୍ରତ୍ୟେକ ଦିନ ଯଜ୍ଞ ଓ ରୁଦ୍ରାଭିସେକ ହେଉଛି । କଥାରେ ଅଛି ବାର ବାର ପୁରୀ ଗୋଟିଏ ଥର ମହେନ୍ଦ୍ରଗିରି । ମହେନ୍ଦ୍ରଗିରି ଠାରୁ ପୁରୀ ବସ ଚଳାଚଳ କରିବା ନେଇ ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ମନ୍ତ୍ରୀ ମହେନ୍ଦ୍ରଗିରି ପରିଦର୍ଶନରେ ଆସି ଥିଲେ । ବୁରୁଖତ ଠାରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଡି.ଏଫ୍.ଓ. ଏସ୍‌. ଆନନ୍ଦ ଦୁହେଁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ମହେନ୍ଦ୍ରଗିରି ପର୍ବତ ଠାରେ ପ୍ରଭୁ ପର୍ଶୁରାମଙ୍କୁ ମୁଣ୍ଡିଆ ମାରି କୁନ୍ତୀ ମନ୍ଦିର ନିକଟରେ ମନ୍ତ୍ରୀ ପହଞ୍ଚିଥିଲେ । ପର୍ଶୁରାମଙ୍କ ଆଶ୍ରମ ନିକଟରେ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିମାନଙ୍କ ସହ ସ୍ଥାନୀୟ ପର୍ବତର ଉନ୍ନତି ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଶେଷରେ ଯୁଧିଷ୍ଟିର ମନ୍ଦିର ଓ ଭୀମ ମନ୍ଦିର ପରିଦର୍ଶନ କରି ଫେରିଯାଇଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଗଜପତି ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ସିଂ, ତହସିଲଦାର ସଦାଶିବ ଭୋତ୍ରା, ବରିଷ୍ଠ ବିଜେପି ନେତା କାହୁଁ ଚରଣ ପତି, ଶିଶିର ମିଶ୍ର, ମୋହନା ନିର୍ବାଚନ ମଣ୍ଡଳୀର ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡନାୟକ, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗୋ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣିଙ୍କ ସମେତ ଧନେଶ୍ଵର ଭୂୟାଁ ପ୍ରମୁଖ ଉପସ୍ଥିତ ରହି ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ ।

Leave A Reply

Your email address will not be published.