
ଭୁବନେଶ୍ଵର : ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଡେଉଁଛି ଡାଇରିଆ । ଦୈନିକ ଚିହ୍ନଟ ହେଉଛନ୍ତି ନୂଆ ନୂଆ ସଂକ୍ରମିତ । ଆଗକୁ ରଥାଯାତ୍ରା ଥିବାରୁ ଡାଇରିଆ ସ୍ଥିତି ନେଇ ପ୍ରକାଶ ପାଇଛି ଉଦବେଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ । ସେ କହିଛନ୍ତି ଯେ, ସରକାର ଡାଇରିଆ ସ୍ଥିତିକୁ ଗୁରୁତର ସହିତ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ୪ଟି ବିଭାଗକୁ ନେଇ ସମୀକ୍ଷା କରିଛନ୍ତି । ଏବେ ଡାଇରିଆର ନୂଆ କେସ୍ ଆସିବା କମିଛି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସଚେତନ କରାଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି । ଲୋକମାନଙ୍କୁ ନିବେଦନ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ । ଚଳିତ ୨୭ରେ ଶ୍ରୀଗୁଣ୍ଡିଚା । ଜୁଲାଇ ୮ ତାରିଖରେ ଶ୍ରୀଜିଉମାନଙ୍କ ନୀଳାଦ୍ରି ବିଜେ ହେବ । ଏହି ସମୟରେ ଶ୍ରୀ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯିବ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ । ସେ କହିଛନ୍ତି ଯେ, ଆଗକୁ ରଥଯାତ୍ରା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵତନ୍ତ୍ର ସମୀକ୍ଷା କରାଯାଇଥିଲା । ପୁରୀରେ ଯେପରି ଡାଇରିଆ ନବ୍ୟାପିବ ସେଥିପାଇଁ ୩୮୭ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତ କରାଯାଇଛି । ଏହାସହ ଫାଷ୍ଟ ଏଡ୍ ସେଣ୍ଟର ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି । ଲୋକଙ୍କୁ ଆରଓ ପାଣି ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି । ଯେଉଁ ୫ ଜିଲ୍ଲାରେ ହଇଜା ବ୍ୟାପିଛି ତାହାକୁ ମୁକାବିଲା କରିବାକୁ ସରକାରୀ ପଦକ୍ଷେପ ନିଆଯାଇଛି ।