ଥାନା ଅଭ୍ୟର୍ଥନା ପ୍ରକୋଷ୍ଠ ପାଲଟିଛି ଶିଶୁଙ୍କ ମନୋରଞ୍ଜନ ସ୍ଥଳୀ

ଲୋଇସିଂହା, (କେପିଏନ୍‌ଏସ୍‌) : ମୋ ସରକାର ଯୋଜନା ଅଧୀନରେ ପ୍ରତି ଥାନାରେ ଖୋଲାଯାଇଛି ସ୍ୱତନ୍ତ୍ର ଅଭ୍ୟର୍ଥନା ପ୍ରକୋଷ୍ଠ ତଥା ମହିଳା ଓ ଶିଶୁ ଡେସ୍କ । ତେବେ କୌଣସି ଅଭିଯୋଗ ପାଇଁ ଥାନାର ଦ୍ୱାରସ୍ଥ ହେଉଥିବା ଅଭିଯୋଗକାରୀଙ୍କ ସାଙ୍ଗରେ ଆସିଥିବା ଛୋଟ ଛୋଟ ଛୁଆ ମାନେ ସେଠାରେ ଅପେକ୍ଷାରତ ନିଜ ଅଭିଭାବକଙ୍କୁ ହଇରାଣ ତଥା ବିରକ୍ତ କରିଥାନ୍ତି । ଏହାକୁ ଆଖି ଆଗରେ ରଖି ଲୋଇସିଂହା ଥାନା ପକ୍ଷରୁ ଶିଶୁଙ୍କ ଖେଳିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ ବେଲୁନ ସାଙ୍ଗକୁ ଫୁଟବଲ ଖେଳିବା ପାଇଁ ଛୁଆଙ୍କୁ ଦିଆଯାଉ ଥିବାରୁ ସେମାନେ ତାହାର ମଜା ନେଉଥିବା ଦେଖିବାକୁ ମିଳୁଛି । ଅଭ୍ୟର୍ଥନା ପ୍ରକୋଷ୍ଠରେ ଆଗଭଳି ଆଉ ଛୁଆମାନେ ଦୃଷ୍ଟାମୀ ନ କରି ଖେଳିବାରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କ ବାପା ମା’ ମାନେ ନିଶ୍ଚିନ୍ତ ରହୁଛନ୍ତି । ଏପରିକି ଅଭ୍ୟର୍ଥନା ପ୍ରକୋଷ୍ଠରେ ଅପେକ୍ଷାରତ ପୁରୁଷ ଓ ମହିଳାଙ୍କୁ ଥାନା ପକ୍ଷରୁ ଚା’ ପାଣିର ମଧ୍ୟ ବ୍ୟବସ୍ଥା କରାଯାଉଥିବା ଲୋଇସିଂହା ଥାନା ଆଇଆଇସି ରମାକାନ୍ତ ଜେନା ପ୍ରକାଶ କରିଛନ୍ତି । ପୋଲିସ-ଜନତା ମଧ୍ୟରେ ଉତ୍ତମ ସମ୍ପର୍କ ଏ ଅଂଚଳରେ ଅପରାଧର ହାରକୁ ଆଗାମୀ ଦିନରେ ହ୍ରାସ କରିବାରେ ସକ୍ଷମ ହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.