ସଇଁତଲା ବ୍ଲକକୁ ବୈମାତୃକ ମନୋଭାବକୁ ନେଇ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ : ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟ ସରକାର ସଇଁତଲା ବ୍ଲକକୁ ବୈମାତୃକ ମନୋଭାବ ଦେଖାଇ ଆସୁଥିବା ପ୍ରତିବାଦରେ ମଙ୍ଗଳବାର ସଇଁତଲା ବ୍ଲକ କଂଗ୍ରେସ ଦଳ ତରଫରୁ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି ଦେଇଥିଲେ । ଏହି ପରିପେକ୍ଷୀରେ ସଇଁତଲା ବିଡ଼ିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ହୋଇଆସୁଥିବା ବେଳେ ରାଜ୍ୟ ସରକାର ତାକୁ ଅଣଦେଖା କରିଆସୁଛନ୍ତି । ଏନେଇ ଗତ କିଛି ଦିନ ତଳେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ତାଙ୍କୁ ନ ଭେଟାଇ ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭେଟି ଥିବାରୁ ନିରାଶ ହେବାକୁ ପଡିଛି । ଏଣୁ ସରକାର ତୁରନ୍ତ ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା କରନ୍ତୁ ବୋଲି କଂଗ୍ରେସ ଦାବି ଉଠାଇଥିଲା । ସେହିପରି ସଇଁତଲା ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା କରାଯାଉ, ସବ୍‌ ଟ୍ରେଜେରୀ ଅଫିସ, ଡାକ୍ତରଖାନାରେ ଶବ ବ୍ୟବଛେଦ କେନ୍ଦ୍ର ସ୍ଥାପନ ପାଇଁ ଦୀର୍ଘ ୩୦ ବର୍ଷ ହେବ ଦାବି ହୋଇଆସୁଥିବା ବେଳେ ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହିତ ବିଭିନ୍ନ ମଣ୍ଡି ଗୁଡିକରେ ଚାଷୀମାନଙ୍କ ଧାନକୁ ପେକ୍ସ ସମ୍ପାଦକମାନେ ମନମୁଖୀ ୭/୮ କେଜି ଲେଖାଏଁ କଟନୀ ଛଟନୀ କରୁଥିବା ଅଭିଯୋଗ ଚାଷୀ ନେତାମାନେ ଅଭିଯୋଗ କରିଥିଲେ । ଏପରିକି ବ୍ଲକର ୨୨ ଗୋଟି ପଞ୍ଚାୟତରେ ବିଭିନ୍ନ ସମସ୍ୟାଗୁଡିକ ରହିଥିବା ବେଳେ ସରକାର ଅଞ୍ଚଳକୁ ବୈମାତୃକ ମନୋଭାବ ଯୋଗୁଁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏଣୁ ଆସନ୍ତା ଦିନରେ ଯୁବ ଓଡିଶା, ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ସଇଁତଲା ବ୍ଲକ ଗ୍ରସ୍ତରେ ଆସୁଥିବାରୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ନ ହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି କଂଗ୍ରେସ ନେତା ଶ୍ରୀ ସିଂ ଭୋଇ ଚେତାବନୀ ଦେଇଛନ୍ତି । ଏହି ପ୍ରତିବାଦ ସଭାରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁବ୍ରତ ବେହେରା , ପୂର୍ଵତନ ବ୍ଲକ ଉପାଧ୍ୟକ ହୃଷିକେଶ ରାଜପଲିଆ, ବ୍ରଜରଙ୍ଗଲାଲ ଜୈନ, ଚାଷୀ ନେତା ଉତ୍ତମ ପଟେଲ, ମୀନକେତନ ସେଠ, ସତ୍ୟନାରାୟଣ ପଣ୍ଡା, ଯୁବ ସଂଗଠକ ଅମିତ ରଥ, ବ୍ଲକ ସଭାନେତ୍ରୀ ଦୀପାଞ୍ଜଳି ବାରିକ, ଉମେଶ ଭୋଇ, ସୁରେଶ ନାଗ, ପ୍ରେମନନ୍ଦ ଭୋଇଙ୍କ ସମେତ ସରପଞ୍ଚ, ପୂର୍ଵତନ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ସହ କଂଗ୍ରେସ କର୍ମୀମାନ ସାମିଲ ହୋଇଥିଲେ । ସଭାକୁ ବ୍ଲକ କଂଗ୍ରେସ ଉପସଭାପତି ପପୁ ମହାନ୍ତି ପରିଚାଳନା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସଇଁତଲା ଆଇଆଇସି ଅବନୀ କୁମାର ସାହୁ ତତ୍ତ୍ୱାବଧାନ ବ୍ୟାପକ ପୋଲିସ ବାହିନୀମାନେ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.