କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସହରରେ ଦୁଇଦିନ ହେଲା ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଏକ ମାଙ୍କଡ଼ ପଲ ସହର ଭିତରକୁ ଚାଲି ଆସି ପ୍ରାୟ ୧୨ ଲୋକଙ୍କୁ ଆକ୍ରମଣ କରିଥିଲେ । ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ରେପିଡ଼ ରେସପନ୍ସ ଟିମ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୪ ଘଣ୍ଟା ପରେ ମାଙ୍କଡକୁ ଟ୍ରାଙ୍କୁଲାଇଜ କରି କାବୁ କରିବା ପରେ ସହର ଉପକଣ୍ଠରେ ଥିବା ଏକ ଛୋଟ ଜଙ୍ଗଲରେ ଛାଡି ଦେଇଥିଲେ । ଆଜି ପୁଣି ମାଙ୍କଡ଼ ସହରରେ ୧୫ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଘଟଣା ସ୍ଥଳରେ ବନ ବିଭାଗର ଆର୍ଆର୍ଟିର ଅପରେସନ ଆରମ୍ଭ ହୋଇଛି । ଭବାନୀପାଟଣା ସହରର ଧୋବାପଡ଼ା, ଚଞ୍ଚରାପଡ଼ା ଓ ଆହାର କେନ୍ଦ୍ର ଅଞ୍ଚଳରେ ୧୫ ଜଣଙ୍କୁ ଆକ୍ରମଣ କରି ପରେ ଆତଙ୍କ ସୃଷ୍ଟି କରିଛି ମାଙ୍କଡ । ମାଙ୍କଡକୁ ଧରିବାପାଇଁ ବନବିଭାଗର ରେପିଡ଼ ରେସପନ୍ସ ଟିମ ଉଦ୍ୟମ ଜାରି ରଖିଛି । ତେବେ ସନ୍ଧ୍ୟାରେ ମଧ୍ୟ ଅନେକ ଲୋକଙ୍କୁ ମାଙ୍କଡ଼ ଆକ୍ରମଣ କରିଛି ।