ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଜନଗଣନା ୨୦୨୭ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ୧୧,୭୧୮.୨୪ କୋଟି ଟଙ୍କା ବ୍ୟୟ କରାଯିବ ।
ଯୋଜନାର ବିବରଣୀ :
● ଭାରତୀୟ ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଏବଂ ପରିସଂଖ୍ୟାନ ଆଧାରିତ କାର୍ଯ୍ୟ । ଭାରତର ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ : (୧) ଗୃହ ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା – ଏପ୍ରିଲରୁ ସେପ୍ଟେମ୍ବର, ୨୦୨୬ ଏବଂ (୨) ଜନସଂଖ୍ୟା ଗଣନା (ପିଇ) – ଫେବୃଆରୀ ୨୦୨୭ (କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟର ତୁଷାରପାତ ପ୍ରବଣ ଅଞ୍ଚଳ ପାଇଁ ଜନଗଣନା ସେପ୍ଟେମ୍ବର, ୨୦୨୬ରେ କରାଯିବ) ।
● ପ୍ରାୟ ୩୦ ଲକ୍ଷ କ୍ଷେତ୍ର କର୍ମଚାରୀ ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି ବିଶାଳ କାର୍ଯ୍ୟକୁ ସମାପନ କରିବେ ।
● ତଥ୍ୟ ସଂଗ୍ରହ ପାଇଁ ମୋବାଇଲ୍ ଆପ୍ ଏବଂ ତଦାରଖ ଲାଗି କେନ୍ଦ୍ରୀୟ ପୋର୍ଟାଲର ବ୍ୟବହାର ଉନ୍ନତ ଗୁଣବତ୍ତାସମ୍ପନ୍ନ ତଥ୍ୟ ସୁନିଶ୍ଚିତ କରିବ ।
● ତଥ୍ୟ ପ୍ରସାର ଅତ୍ୟନ୍ତ ଉନ୍ନତ ଏବଂ ବ୍ୟବହାରକାରୀ ଅନୁକୂଳ ଉପାୟରେ ହେବ ଯାହା ଫଳରେ ନୀତି ନିର୍ଦ୍ଧାରଣ ପାଇଁ ଆବଶ୍ୟକ ମାପଦଣ୍ଡଗୁଡ଼ିକ ଉପରେ ସମସ୍ତ ପ୍ରଶ୍ନ ଗୋଟିଏ ବଟନ୍ କ୍ଲିକ୍ରେ ଉପଲବ୍ଧ ହେବ ।
● ଏକ ସେବା ରୂପେ ଜନଗଣନା (ସିଏଏଏସ) ଏକ ସ୍ୱଚ୍ଛ, ମେସିନ୍-ପଠନ ଯୋଗ୍ୟ ଏବଂ କାର୍ଯ୍ୟକ୍ଷମ ଫର୍ମାଟରେ ମନ୍ତ୍ରଣାଳୟଗୁଡ଼ିକୁ ତଥ୍ୟ ପ୍ରଦାନ କରିବ ।
ଲାଭ :
ଭାରତର ଜନଗଣନା ୨୦୨୭ ଦେଶର ସମଗ୍ର ଜନସଂଖ୍ୟାକୁ କଭର କରିବ ।
କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ :
● ଜନଗଣନା ପ୍ରକ୍ରିୟାରେ ପ୍ରତ୍ୟେକ ଘରେ ପହଞ୍ଚିବା ଏବଂ ଗୃହ ତାଲିକାଭୁକ୍ତ ଓ ଗୃହ ଜନଗଣନା ସହିତ ଜନସଂଖ୍ୟା ଗଣନା ପାଇଁ ପୃଥକ ପ୍ରଶ୍ନାବଳୀ ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ ରହିଛି
● ଜନଗଣନାକାରୀ, ସାଧାରଣତଃ ସରକାରୀ ଶିକ୍ଷକ ହେବେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହେବେ । ସେମାନେ ନିଜର ନିୟମିତ କାର୍ଯ୍ୟ ସହିତ ଜନଗଣନାର କ୍ଷେତ୍ର କାର୍ଯ୍ୟ ମଧ୍ୟ କରିବେ ।
● ରାଜ୍ୟ/ଜିଲ୍ଲା ପ୍ରଶାସନ ଦ୍ୱାରା ଉପ-ଜିଲ୍ଲା, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଅନ୍ୟାନ୍ୟ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ନିଯୁକ୍ତ କରାଯିବ ।
ଜନଗଣନା ୨୦୨୭ ପାଇଁ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପଗୁଡ଼ିକ ହେଲା :
I. ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ୍ ମାଧ୍ୟମରେ ଜନଗଣନା କରାଯିବ । ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ତଥ୍ୟ ସଂଗ୍ରହ କରାଯିବ ଯାହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ ସଂସ୍କରଣ ପାଇଁ ଉପଲବ୍ଧ ହେବ ।
II. ସମ୍ପୂର୍ଣ୍ଣ ଜନଗଣନା ପ୍ରକ୍ରିୟାକୁ ବାସ୍ତବ ସମୟ ଭିତ୍ତିରେ ପରିଚାଳନା ଏବଂ ତଦାରଖ କରିବା ପାଇଁ ଜନଗଣନା ପରିଚାଳନା ଓ ନିରୀକ୍ଷଣ ପ୍ରଣାଳୀ (ସିଏମଏମଏସ) ପୋର୍ଟାଲ୍ ନାମକ ଏକ ସମର୍ପିତ ପୋର୍ଟାଲ୍ ବିକଶିତ କରାଯାଇଛି ।
III. ଗୃହ ତାଲିକାଭୁକ୍ତ ବ୍ଲକ (ଏଚଏଲବି) କ୍ରିଏଟର ୱେବ୍ ମ୍ୟାପ୍ ଆପ୍ଲିକେସନ୍: ଜନଗଣନା ୨୦୨୭ ପାଇଁ ଆଉ ଏକ ନୂତନ ପ୍ରୟାସ ହେଉଛି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦ୍ୱାରା ବ୍ୟବହୃତ ଏଚଏଲବି କ୍ରିଏଟର ୱେବ୍ ମ୍ୟାପ୍ ଆପ୍ଲିକେସନ୍ ।
IV. ସାଧାରଣ ଲୋକମାନଙ୍କୁ ନିଜର ଗଣନା ନିମନ୍ତେ ମଧ୍ୟ ବିକଳ୍ପ ଦିଆଯିବ ।
V. ଏହି ବିଶାଳ ଡିଜିଟାଲ କାର୍ଯ୍ୟ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
VI. ଜନଗଣନା ୨୦୨୭ରେ ଦେଶବ୍ୟାପୀ ସଚେତନତା, ସମାବେଶୀ ଅଂଶଗ୍ରହଣ, ଶେଷ ମାଇଲ ପର୍ଯ୍ୟନ୍ତ କାର୍ଯ୍ୟ ଏବଂ କ୍ଷେତ୍ର କାର୍ଯ୍ୟ ନିମନ୍ତେ ସମର୍ଥନ ପାଇଁ ଏକ କେନ୍ଦ୍ରିତ ଏବଂ ବ୍ୟାପକ ପ୍ରଚାର ଅଭିଯାନ କରାଯିବ । ଏହା ସଠିକ, ପ୍ରାମାଣିକ ଏବଂ ସମୟୋଚିତ ସୂଚନା ବାଣ୍ଟିବା ଉପରେ ଗୁରୁତ୍ୱ ଦେବ ଯାହା ସୁନିଶ୍ଚିତ ଓ ପ୍ରଭାବଶାଳୀ ପ୍ରସାର ପ୍ରୟାସକୁ ସୁନିଶ୍ଚିତ କରିବ ।
VII. ଆଗାମୀ ଜନଗଣନା ଅର୍ଥାତ୍ ୨୦୨୭ ଜନଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରିବା ଲାଗି ୩୦ ଏପ୍ରିଲ ୨୦୨୫ରେ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆମ ଦେଶରେ ବିଶାଳ ସାମାଜିକ ଏବଂ ଜନସଂଖ୍ୟାଗତ ବିବିଧତା ଏବଂ ତତସଂକ୍ରାନ୍ତ ଆହ୍ୱାନ ସହିତ ୨୦୨୭ ଜନଗଣନାରେ ଦ୍ୱିତୀୟ ପର୍ଯ୍ୟଶୟରେ, ଅର୍ଥାତ୍ ଜନସଂଖ୍ୟା ଗଣନା (ପିଇ)ରେ ଇଲେକ୍ଟ୍ରୋନିକ୍ ଭାବରେ ଜାତିଗତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ ।
VIII. ଜନଗଣନା କାର୍ଯ୍ୟର ତଥ୍ୟ ସଂଗ୍ରହ, ତଦାରଖ ଏବଂ ତତ୍ତ୍ୱାବଧାନ ପାଇଁ ଗଣନାକାରୀ, ପର୍ଯ୍ୟବେକ୍ଷକ, ମାଷ୍ଟର ଟ୍ରେନର, ଚାର୍ଜ ଅଫିସର ଏବଂ ପ୍ରମୁଖ/ଜିଲ୍ଲା ଜନଗଣନା ଅଧିକାରୀ ସମେତ ପ୍ରାୟ ୩୦ ଲକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯିବ । ସମସ୍ତ ଜନଗଣନା କର୍ମଚାରୀଙ୍କୁ ଜନଗଣନା କାର୍ଯ୍ୟ ଲାଗି ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ କାରଣ ସେମାନେ ସେମାନଙ୍କର ନିୟମିତ ଦାୟିତ୍ୱ ସହିତ ଏହି କାର୍ଯ୍ୟ କରିବେ ।
ନିଯୁକ୍ତି ସୃଷ୍ଟି ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ :
ବର୍ତ୍ତମାନର ପ୍ରୟାସ ଆଗାମୀ ଜନଗଣନା ତଥ୍ୟକୁ ସମଗ୍ର ଦେଶରେ ଯଥାଶୀଘ୍ର ଉପଲବ୍ଧ କରାଇବ । ଅଧିକ କଷ୍ଟମାଇଜ୍ଡ ଭିଜୁଆଲାଇଜେସନ୍ ନିର୍ଦ୍ଦିଷ୍ଟ ଭାବେ ପରିକଳ୍ପନା କରାଯାଇଥିବା ଉପକରଣ ସହିତ ଜନଗଣନା ଫଳାଫଳକୁ ପ୍ରସାରିତ କରିବା ପାଇଁ ମଧ୍ୟ ପ୍ରୟାସ କରାଯିବ । ସର୍ବନିମ୍ନ ପ୍ରଶାସନିକ ୟୁନିଟ୍ ଅର୍ଥାତ୍ ଗ୍ରାମ/ୱାର୍ଡ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ତଥ୍ୟ ପ୍ରଦାନ କରାଯିବ ।
ଜନଗଣନା ୨୦୨୭କୁ ସଫଳ କରିବା ପାଇଁ ବିଭିନ୍ନ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ସ୍ଥାନୀୟ ସ୍ତରରେ ପ୍ରାୟ ୧୮,୬୦୦ ବୈଷୟିକ ମାନବଶକ୍ତି ପ୍ରାୟ ୫୫୦ ଦିନ ପାଇଁ ନିୟୋଜିତ ହେବେ । ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରାୟ ୧.୦୨ କୋଟି ମାନବ ଦିବସ ନିଯୁକ୍ତି ସୃଷ୍ଟି ହେବ । ଏହା ବ୍ୟତୀତ, ଭାରପ୍ରାପ୍ତ/ଜିଲ୍ଲା/ରାଜ୍ୟ ସ୍ତରରେ ବୈଷୟିକ ମାନବଶକ୍ତି ଯୋଗାଣ ଦ୍ୱାରା ଦକ୍ଷତା ବିକାଶ ମଧ୍ୟ ହେବ କାରଣ କାର୍ଯ୍ୟର ପ୍ରକୃତି ଡିଜିଟାଲ ଡାଟା ପରିଚାଳନା, ତଦାରଖ ଏବଂ ସମନ୍ୱୟ ସହିତ ଜଡିତ ହେବ । ଏହା ଏହି ବ୍ୟକ୍ତିବିଶେଷଙ୍କ ଭବିଷ୍ୟତର ନିଯୁକ୍ତି ସମ୍ଭାବନାକୁ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିବ ।
ପୃଷ୍ଠଭୂମି :
୨୦୨୭ ଜନଗଣନା ଦେଶର ଷୋଡ଼ଶ ଏବଂ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ । ଜନଗଣନା ହେଉଛି ଗ୍ରାମ, ସହର ଏବଂ ୱାର୍ଡ ସ୍ତରରେ ପ୍ରାଥମିକ ତଥ୍ୟର ସବୁଠାରୁ ବଡ଼ ଉତ୍ସ ଯାହା ପାରିବାରିକ ଅବସ୍ଥା; ସୁବିଧା ଏବଂ ସମ୍ପତ୍ତି, ଜନସଂଖ୍ୟା, ଧର୍ମ, ଅନୁସୂଚିତ ଜାତି ଓ ଜନଜାତି, ଭାଷା, ସାକ୍ଷରତା ଓ ଶିକ୍ଷା, ଆର୍ଥିକ କାର୍ଯ୍ୟକଳାପ, ପ୍ରବାସ ଓ ପ୍ରଜନନ ସମେତ ବିଭିନ୍ନ ମାପଦଣ୍ଡ ଉପରେ ସୂକ୍ଷ୍ମ ସ୍ତରୀୟ ତଥ୍ୟ ପ୍ରଦାନ କରେ । ଜନଗଣନା ଆଇନ, ୧୯୪୮ ଏବଂ ଜନଗଣନା ନିୟମ ୧୯୯୦ ଜନଗଣନା ପରିଚାଳନା ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରେ ।