ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ – ପର୍ବତମାଳା ପରିଯୋଜନା ଅଧୀନରେ ଉତ୍ତରାଖଣ୍ଡ ରାଜ୍ୟରେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ରୋପୱେ ପ୍ରକଳ୍ପର ବିକାଶକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିଲୋମିଟର ରୋପୱେ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର କରିଛି । ଡିଜାଇନ୍, ବିଲ୍ଡ, ଫାଇନାନ୍ସ, ଅପରେଟ ଆଣ୍ଡ ଟ୍ରାନ୍ସଫର (ଡିବିଏଫଓଟି) ମୋଡରେ ମୋଟ ୪୦୮୧.୨୮ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍‌ରେ ବିକଶିତ ହେବାକୁ ଥିବା ଏହି ରୋପୱେ ସବୁଠାରୁ ଅତ୍ୟାଧୁନିକ ଟ୍ରାଇ-କେବୁଲ୍ ଡିଟାଚେବଲ୍ ଗଣ୍ଡୋଲା (୩ଏସ୍) ଟେକ୍ନୋଲୋଜି ଉପରେ ଆଧାରିତ ହେବ, ଯାହାର ଡିଜାଇନ୍ କ୍ଷମତା ଘଣ୍ଟା ପ୍ରତି ୧,୮୦୦ ଯାତ୍ରୀ (ପିପିଏଚପିଡି) ରହିବ, ଯେଉଁଥିରେ ଦୈନିକ ୧୮,୦୦୦ ଯାତ୍ରୀ ଯାତାୟାତ କରିବେ । କେଦାରନାଥକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ରୋପୱେ ପ୍ରକଳ୍ପ ବରଦାନ ସାବ୍ୟସ୍ତ ହେବ କାରଣ ଏହା ପରିବେଶ ଅନୁକୂଳ, ଆରାମଦାୟକ ଏବଂ ଦ୍ରୁତ ସଂଯୋଗ ପ୍ରଦାନ କରିବ ଏବଂ ଗୋଟିଏ ଦିଗରେ ଯାତ୍ରା ସମୟ ପ୍ରାୟ ୮ରୁ ୯ ଘଣ୍ଟାରୁ ପ୍ରାୟ ୩୬ ମିନିଟକୁ ହ୍ରାସ କରିବ । ଏହି ରୋପୱେ ପ୍ରକଳ୍ପ ନିର୍ମାଣ ଏବଂ ପରିଚାଳନା ସମୟରେ ଏବଂ ଆନୁଷଙ୍ଗିକ ପର୍ଯ୍ୟଟନ ଶିଳ୍ପ ଯଥା ଆତିଥ୍ୟ, ଭ୍ରମଣ, ଖାଦ୍ୟ ଏବଂ ପାନୀୟ (ଏଫ୍ ଆଣ୍ଡବି) ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବର୍ଷ ସାରା ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସନ୍ତୁଳିତ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା, ପାହାଡ଼ିଆ ଅଞ୍ଚଳରେ ଶେଷ-ମାଇଲ ଯୋଗାଯୋଗ ବୃଦ୍ଧି ଏବଂ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ରୋପୱେ ପ୍ରକଳ୍ପର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେଦାରନାଥ ମନ୍ଦିର ଯାତ୍ରା ଗୌରୀକୁଣ୍ଡଠାରୁ ୧୬ କିଲୋମିଟର ଦୂରରେ ଏକ ଆହ୍ୱାନପୂର୍ଣ୍ଣ ଯାତ୍ରା ଏବଂ ବର୍ତ୍ତମାନ ଏହାକୁ ପାଦରେ କିମ୍ବା ପୋନି, ପାଲକି ଏବଂ ହେଲିକପ୍ଟର ଦ୍ୱାରା କରାଯାଉଛି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସୁବିଧା ଯୋଗାଇଦେବା ସହ ସୋନପ୍ରୟାଗ ଓ କେଦାରନାଥ ମଧ୍ୟରେ ସବୁ ସମୟରେ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତାବିତ ରୋପୱେ ଯୋଜନା କରାଯାଇଛି । ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗ ଜିଲ୍ଲାରେ ୩୫୮୩ ମିଟର (୧୧୯୬୮ ଫୁଟ) ଉଚ୍ଚତାରେ ଅବସ୍ଥିତ ୧୨ଟି ପବିତ୍ର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ଅନ୍ୟତମ । ଅକ୍ଷୟ ତୃତୀୟା (ଏପ୍ରିଲ-ମେ) ଠାରୁ ଦୀପାବଳି (ଅକ୍ଟୋବର-ନଭେମ୍ବର) ପର୍ୟ୍ୟନ୍ତ ବର୍ଷକୁ ପ୍ରାୟ ୬ରୁ ୭ ମାସ ଏହି ମନ୍ଦିର ତୀର୍ଥଯାତ୍ରୀଙ୍କ ପାଇଁ ଖୋଲା ରହିଥାଏ ଏବଂ ଏହି ଋତୁରେ ବାର୍ଷିକ ପ୍ରାୟ ୨୦ ଲକ୍ଷ ତୀର୍ଥଯାତ୍ରୀ ଏଠାକୁ ଆସିଥାନ୍ତି ।

Leave A Reply

Your email address will not be published.