ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ମଞ୍ଜୁରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବରଗଡବାସୀ

  • ରେଳପଥ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇ ଦେବେ-ମୁଖ୍ୟମନ୍ତ୍ରୀ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଲୋକସେବା ଭବନଠାରେ ବରଗଡ ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ, ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଆସି ବରଗଡ ରୋଡ୍-ନୂଆପଡା ନୂତନ ରେଳପଥ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ସେମାନଙ୍କ ସହିତ ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଏହି ନୂତନ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏହି ରେଳ ପ୍ରକଳ୍ପ ମଞ୍ଜୁର ହୋଇଛି । ଉଭୟ ରାଜ୍ୟ ଓ କେନ୍ଦ୍ରରେ ସମାନ ସରକାର ଥିବାରୁ ବର୍ତ୍ତମାନ ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଏହା ସମ୍ଭବ ହେଉଛି । ବରଗଡ ଜିଲ୍ଲାରୁ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାୟ ୩ ହଜାର କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ରେଳପଥ ବରଗଡ ଜିଲ୍ଲା ଓ ନୂଆପଡା ଜିଲ୍ଲାବାସୀଙ୍କ ଗମନାଗମନ ସୁବିଧା କରିବା ସହିତ ସେମାନଙ୍କ ଅର୍ଥନୈତିକ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହେବ । ଏହି ରେଳପଥ ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇ ଦିଆଯିବ ।

Leave A Reply

Your email address will not be published.