ଓଡ଼ିଶାରେ ମଞ୍ଜୁର ହୋଇଥିବା ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ ୪୭ଟି କାର୍ଯ୍ୟକ୍ଷମ

● ରାଜ୍ୟରେ ୬୪ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି; ସର୍ବଭାରତୀୟ ସ୍ତରରେ ୧୦,୩୯୧ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ପାଇଁ ଅଭିଯାନ ଜାରି

ନୂଆଦିଲ୍ଲୀ, (ପିଇବି) : ଓଡ଼ିଶାରେ ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ମଞ୍ଜୁରି ମିଳିଛି । ଏଥିମଧ୍ୟରୁ ୪୭ଟି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇସାରିଥିବା ବେଳେ ୬୪ଟି ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି । କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଆଜି ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣରେ ବିଳମ୍ବର ମୁଖ୍ୟ କାରଣ ହେଉଛି ଉପଯୁକ୍ତ ଜମି ଉପଲବ୍ଧ ନହେବା, ସଠିକ ଆପ୍ରୋଚ୍ ରୋଡ୍ ନିର୍ମାଣ କରାନଯିବା ଏବଂ ଭୌଗଳିକ ସମସ୍ୟା । ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି (ଏନଇଟିଏସ) ସର୍ବଭାରତୀୟ ସ୍ତରରେ ଏକଲବ୍ୟ ବିଦ୍ୟାଳୟ କର୍ମଚାରୀ ଚୟନ ପରୀକ୍ଷା (ଇଏସଏସଇ)-୨୦୨୩ ମାଧ୍ୟମରେ ୧୦,୩୯୧ ପଦବୀରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ପ୍ରଥମ ଅଭିଯାନ କାର୍ଯ୍ୟକାରୀ କରୁଛି । ଏହା ଅଧୀନରେ ବିଭିନ୍ନ ବିଦ୍ୟାଳୟରେ ମନୋନୀତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୭୨୬୭ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀ ପୂରଣ ପାଇଁ ଇଏସଏସଇ-୨୦୨୫ ର ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏହାସହିତ, କର୍ମଚାରୀମାନଙ୍କୁ ଡେପୁଟେସନରେ ଏବଂ ଆଉଟସୋର୍ସିଂ ଆଧାରରେ ନିୟୋଜିତ କରିବା ଲାଗି ରାଜ୍ୟ ସରକାରଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ଯାହାଦ୍ଵାରା ଶୈକ୍ଷିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବ ନାହିଁ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆଦିବାସୀ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ, ଏହି ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହ, ଆଧୁନିକ ପାଠାଗାର, ବିଜ୍ଞାନ ଓ କମ୍ପ୍ୟୁଟର ପ୍ରୟୋଗଶାଳା, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ଆବାସିକ ସୁବିଧା, କ୍ରୀଡା, କଳା ଏବଂ ସଙ୍ଗୀତ ଭଳି କାର୍ଯ୍ୟକଳାପ ନିମନ୍ତେ ସୁବିଧା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବୃତ୍ତିଗତ ତାଲିମ ଭଳି ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି । ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ତାଲିମ କାର୍ଯ୍ୟକ୍ରମ ଏବଂ କର୍ମଶାଳା ମଧ୍ୟ ଆୟୋଜିତ କରାଯାଉଛି ।

Leave A Reply

Your email address will not be published.