ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନିବିଡ ତଥା ଅନାବିଳ ବନ୍ଧୁତା ଓ ପୁରୁଣା ସ୍ମୃତିକୁ କେବେ ବି ଭୁଲି ହୁଏନା । ପିଲାଦିନର ସ୍ମୃତି ଜୀବନର ଅନ୍ତିମ ଯାତ୍ରା ପରେ ରୋମନ୍ଥନ ହୋଇ ଅତୀତର ଅପାସୋରା ତଥା ଅଭୂଲା କଥାକୁ ମନେପକାଇ ହୃଦୟକୁ ଅନେକ କଷ୍ଟ ଦେଇଥାଏ । ଏବେ ସେଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଜର୍ଜ୍ଜରିତ ହେଉଛନ୍ତି ପିପିଲି ଜବାହର ବିଦ୍ୟାପୀଠରେ ବିଗତ ଦିନରେ ଅଧ୍ୟୟନ କରିଥିବା ୧୯୭୦ ବ୍ୟାଚର ସହପାଠୀମାନେ । ଗତ ସୋମବାର ଦିନ ପିପିଲି ଡେଲାଙ୍ଗ ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଥିଲା । ଏହି ଦୁଃଖଦ ଖବର ଶୁଣିବା ପରେ ପିପିଲି ଜବାହର ବିଦ୍ୟାପୀଠରେ ୧୯୭୦ ମସିହାରେ ପାଠ ପଢୁଥିବା ଦିବଂଗତ ପ୍ରାକ୍ତନ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ସହପାଠୀମାନେ ଗଭୀର ଶୋକ ପ୍ରକାଶ କରିଥିଲେ । ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଯୁଧିଷ୍ଠିରଙ୍କ ସହପାଠୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିକ୍ରମ ସିଂହ, ସନାତନ ସେଠୀ, ଅର୍ଜ୍ଜୁନ ଦାସ, ଝୁଲ କାଣ୍ଡି, କୃଷ୍ଣ ପାଣ୍ଡେ, ସୌଦାମିନୀ ମହାପାତ୍ର, ପ୍ରମିଳା ଜେନା, ଉର୍ମିଳା ସ୍ୱାଇଁ, ରାଜ ସାହୁ, ସମସର ଅଲ୍ଲୀ, ଫଜରୁଲ୍ ରହମାନ, ଗୌରାଙ୍ଗ ସାହୁ ଓ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ପ୍ରମୁଖ ଅତୀତର ସ୍ମୃତିକୁ ମନେପକାଇ ଦୁଃଖ ପ୍ରକାଶ କରିଥିଲେ । ଏପରିକି ସେମାନଙ୍କ ମଧ୍ୟରେ ଯୁଧିଷ୍ଠିରଙ୍କ ଶୂନ୍ୟସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ଅନୁଭବ କରିବା ସହ ବିଧାୟକ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ଯୁଧିଷ୍ଠିର ତାଙ୍କ ସହପାଠୀମାନଙ୍କ ସହିତ ଉତ୍ତମ ସମ୍ପର୍କ ଓ ବନ୍ଧୁତା ଅବ୍ୟାହତ ରଖିଥିଲେ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ଗତବର୍ଷ ବନ୍ଧୁମିଳନ ଉତ୍ସବରେ ଯୁଧିଷ୍ଠିର ସମସ୍ତ ସହପାଠୀଙ୍କୁ ଗୋଲାପ ଫୁଲ ଦେଇ ସ୍ଵାଗତ କରିବା ସହ ୨୦୨୪ରେ ଖୁବ୍ ଆଡମ୍ବର ସହକାରେ ବନ୍ଧୁମିଳନ ଉତ୍ସବ ପାଳନ କରିବାକୁ ଦେଇଥିବା ପ୍ରତିଶୃତି ଏବେ ଅଧୁରା ରହିଗଲା ବୋଲି ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ଶେଷରେ ସମସ୍ତ ସହପାଠୀ ଯୁଧିଷ୍ଠିରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
Next Post