ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣୀ ଯଥା ରଥଯାତ୍ରା, ତାରାତାରିଣୀଙ୍କର ଚୈତ୍ରପର୍ବ ଯାତ୍ରା ଆଦିରେ ମାନବଙ୍କୁ ଶୃଙ୍ଖଳିତ ପଥରେ ଲୋକଙ୍କର ଦିଅଁ ଦର୍ଶନ ମିଳିବା ଆବଶ୍ୟକ । ଏଥିପାଇଁ ସେବା କରି ପ୍ରଶାସନ ତଥା ସାଧାରଣ ଜନତାଙ୍କର ପ୍ରିୟପାତ୍ର ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରତିନିଧିର ବିଭିନ୍ନ ଜିଲ୍ଲାରେ ସଂଗଠନ ରହିଛି, ଯଥା ଗଜପତି, ଗଞ୍ଜାମ, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧାର ଶତାଧିକ ସଦସ୍ୟ ଚଳିତବର୍ଷ ତା. ୧୫-୦୨-୨୦୨୫ ରବିବାର ଦିନ ମହାଶିବରାତ୍ରିରେ ଏକାମ୍ରକ୍ଷେତ୍ର ଅଧିପତି ଶ୍ରୀ ଲିଙ୍ଗରାଜବାବାଙ୍କ ମନ୍ଦିରରେ ୨୪ଘଣ୍ଟିଆ ଅହରାତ୍ର ସେବା ଯୋଗାଇବା ପାଇଁ ନେଇ ସଂଗଠନ ପ୍ରସ୍ତୁତ ଅଛି ବୋଲି ସଂଗଠନ ମୁଖ୍ୟ ଶ୍ରୀ ନୀଳମଣି ମିଶ୍ର ଜଣାଇଛନ୍ତି । ଏହି ସଦସ୍ୟମାନେ ମନ୍ଦିରରେ ଉପସ୍ଥିତ ରହି ଯଥାସମ୍ଭବ ପ୍ରଶାସନକୁ ତଥା ଭକ୍ତବୃନ୍ଦଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତା. ୧୪-୦୨-୨୦୨୫ ରିଖ ରାତିରେ ବେଢ଼ା ପରିଷ୍କାର କରିବା ସହ ଶିବରାତ୍ରୀ ଶେଷଯାମ, ଅର୍ଥାତ୍ ଭୋର ୩.୩୦ ମିନିଟରୁ ତା ୧୬-୦୨-୨୦୨୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ସେବାରେ ସାମିଲ ହେବେ । ଏ ବର୍ଷ କିପରି ଆହୁରି ଶୃଙ୍ଖଳିତ ଭାବେ ଭକ୍ତଙ୍କୁ ସେବା ପ୍ରଦାନ କରାଯାଇପାରିବ, ସେ ନେଇ ଛତ୍ରପୁରସ୍ଥିତ ଷ୍ଟାଡିୟମରେ ଗଜପତି ଜିଲ୍ଲା ନ୍ୟାୟାଳୟର କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆଇ.ଆର.ଇ.ଏଲ୍. ପ୍ରତିଷ୍ଠାନରେ କାର୍ଯ୍ୟରତ ମନୋରଞ୍ଜନ ବେହେରା, ସମାଜସେବୀ ମନୋଜ ମିଶ୍ର, ଓକିଲ ଲସିତ ବରଣ ବେହେରା, ମାଧବ ସାସମଲ, ଇଞ୍ଜିନିୟର ଟୁଟୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଏହି ସଦସ୍ୟମାନେ ଦୀର୍ଘ ୩୬ବର୍ଷ ଧରି ଦୈନନ୍ଦିନ ଭାବେ ଲିଙ୍ଗରାଜ ମନ୍ଦିରରେ ସ୍ୱେଚ୍ଛାକୃତ ଭାବେ ବିଭିନ୍ନ ସେବା କରି ଆସୁଛନ୍ତି । ତେଣୁ ଏଥର ବି ଶିବରାତ୍ରିରେ ଭକ୍ତଙ୍କୁ ଧାଡିରେ ଛିଡା କରାଇବା ସହ ଗର୍ଭଗୃହ ତଥା ମନ୍ଦିର ପରିସର ପରିଷ୍କାର କରିବା, ଜଳ ବାଣ୍ଟିବା, ଅଘଟନରେ ଯଥାସମ୍ଭବ ସହାୟତା କରିବା, ଚୋରି ତଥା ଅନ୍ୟ ଅପରାଧ ପ୍ରତି ସଜାଗ ଦୃଷ୍ଟି ଦେବା ଓ ବିକଳାଙ୍ଗଙ୍କୁ ତଥା ବୟୋଜ୍ୟେଷ୍ଠଙ୍କୁ ଭଗବାନଙ୍କର ସୁଚାରୁ ଦର୍ଶନ କରାଇବା ସୁନିଶ୍ଚିତ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ପରବର୍ତ୍ତୀ ସମୟରେ ଏହି ଦଳ ତାରାତାରିଣୀ ଯାତ୍ରାରେ ବି ଶୃଙ୍ଖଳିତ ସେବା କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି ।