ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଚଳିତ ମାସ ୨୪ ତାରିଖରେ ଆଗଲପୁର ଶ୍ରୀ ଧବଲେଶ୍ୱର ଶିବ ମନ୍ଦିରରୁ ଚୋରି ହୋଇଥିଲା । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ପ୍ରଦୀପ ଶିକାଙ୍କ ପୁଅ ସୀମନ୍ତ ଶିକା (୨୬) । ସୂଚନା ଅନୁଗତ ଯେ, ଶ୍ରୀ ଧବଲେଶ୍ୱର ଶିବ ମନ୍ଦିରରୁ ଗତ ଗୁରୁବାର ବିଲମ୍ବିତ ରାତିରେ ମନ୍ଦିରରୁ ପାଞ୍ଚଟି ତମ୍ବା ନାଗ ଓ ଗୋଟିଏ ପିତଳ ହଣ୍ଡା ଚୋରି ହୋଇଥିବା ନେଇ ପୂଜକ ଅମିରା ଥନାପତି ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଅନ୍ୟପଟେ ଅଭିଯୁକ୍ତ ସୀମନ୍ତ ଚୋରି ସାମଗ୍ରୀକୁ ବାହାରେ ବିକ୍ରି କରିବାରେ ଅସମର୍ଥ ହେବାରୁ ନିକଟସ୍ଥ ଏକ ପାଲଭାଡ଼ିରେ ସେଗୁଡିକୁ ଲୁଚାଇ ରଖିଥିଲା । ପରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ସୀମନ୍ତକୁ ଗିରଫ କରିବା ସହିତ ତା ନିକଟରୁ ତମ୍ବାର ୩.୫ ଫୁଟ ଓ ୨.୫ ଫୁଟ ଉଚ୍ଚ ସମେତ ମୋଟ ୫ଟି ନାଗ, ଗୋଟିଏ ପିତଳ ହଣ୍ଡା ଓ ସୁପର ସ୍ପ୍ଲେଣ୍ଡର ବାଇକ୍ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ବାସୁଦେବ ଭୋଇ ସୂଚନା ଦେଇଛନ୍ତି ।