ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଓଡ଼ିଶାର ସୁପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଆଧାରିତ ଓଡିଆ ଭାଷାର ପ୍ରଥମ ନାଟକ ‘ସାମନ୍ତ ଚନ୍ଦ୍ରଶେଖର’ ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନ ନୟାଗଡର ଖଣ୍ଡପଡ଼ାରେ ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଘଟିକାରେ ମଞ୍ଚସ୍ଥ କରିବାକୁ ଯାଉଛି । ଯେଉଁ ଜ୍ୟୋତିର୍ବିଜ୍ଞାନୀଙ୍କ ନିର୍ମିତ ପଞ୍ଜିକା ଅନୁସାରେ ଆଜି ବି ଶ୍ରୀ ଜଗନ୍ନାଥଙ୍କ ନୀତି ସମ୍ପନ୍ନ ହେଉଛି, ପ୍ରତ୍ୟେକ ଓଡ଼ିଆ ପରିବାର ଯାହାଙ୍କର ପାଞ୍ଜି ଅନୁସାରେ ବିବାହ ବ୍ରତ ପୂଜା ପାର୍ବଣ ପାଳନ କରୁଛନ୍ତି, ଯିଏ କୌଣସି ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର ନ କରି ଖାଲି ଆଖିରେ କେଇ ଖଣ୍ଡପଡ଼ାର ବାଉଁଶ ଓ କାଠ ନିର୍ମିତ ଯନ୍ତ୍ର ସାହାଯ୍ୟରେ ଆକାଶକୁ ନିରୀକ୍ଷଣ କରି ଗ୍ରହ ନକ୍ଷତ୍ର ମାନଙ୍କର ସଠିକ ସ୍ଥିତି ବିଷୟରେ ଅଢେଇ ହଜାର ଶ୍ଲୋକରେ ‘ସିଦ୍ଧାନ୍ତ ଦର୍ପଣ’ ନାମରେ ବିରାଟ ଗ୍ରନ୍ଥ ରଚନା କରିଯାଇଛନ୍ତି, ଯିଏ ଜୀବନ ସାରା ଦୀନ ଦରିଦ୍ରଙ୍କୁ ସେବା କରି କରି ନିଜେ ଦରିଦ୍ର ହୋଇ ଯାଇଛନ୍ତି, ରାଜବଂଶରେ ଜନ୍ମ ହୋଇଥିଲେ ବି ଯିଏ, ରାଜାଙ୍କ ରୋଷର ଶିକାର ହୋଇ ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ହୋଇଥିଲେ ବି ଇଂରେଜ ଅଫିସରଙ୍କ ଆଗରେ ଓଡିଆ ରାଜା ଓ ଜାତିର ଅପମାନର ଘୋର ବିରୋଧ କରିଛନ୍ତି ସେହି ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ମହାପୁରୁଷ ପଠାଣି ସାମନ୍ତଙ୍କ ତ୍ୟାଗ ନିଷ୍ଟୁର ଦରଦଭରା ଜୀବନୀକୁ ସାଂପ୍ରତିକ ଯୁବସମାଜକୁ ଅବଗତ କରାଇବା ଉଦ୍ଦେଶ୍ୟରେ ସମ୍ପର୍କ ରାଉରକେଲା ଏହି ନାଟକକୁ ପ୍ରଥମେ ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ମଞ୍ଚସ୍ଥ କରିଥିଲା । ନାଟକଟି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ଏବେ ଖଣ୍ଡପଡ଼ା ମହୋତ୍ସବର କର୍ମକର୍ତ୍ତାଙ୍କ ନିମନ୍ତ୍ରଣ କ୍ରମେ ଉକ୍ତ ନାଟକ ଖଣ୍ଡପଡ଼ାରେ ମଞ୍ଚସ୍ଥ ହେବ । ପରେ ପାଟନା ବିହାର, ବର୍ଦ୍ଧମାନ ପଶ୍ଚିମବଙ୍ଗ, ସି. ରାଉରକେଲାର ସିଭିକ ସେଣ୍ଟର୍ ଠାରେ ଉକ୍ତ ନାଟକକୁ ମଞ୍ଚସ୍ଥ କରିବାର ଯୋଜନା କରାଯାଇଛି । ଏହି ନାଟକୁ ରଚନା କରିଛନ୍ତି ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ଅଭିନୟରେ ଅଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର, ନୃସିଂହ ଚରଣ ମହାନ୍ତି, ବିଜୟ କୁମାର ପାତ୍ର, ସୁରେନ୍ଦ୍ର ପାଢୀ, ତ୍ରିପତି ନାରାୟଣ ମିଶ୍ର, ପ୍ରଳୟ ଶତପଥୀ, ପ୍ରଜ୍ଞାନନ୍ଦ ମହାନ୍ତି, ପୁଷ୍ପଲତା ବିଷୋଇ, ସୁଦେଷ୍ଣା ରାଣୀ ରାଉତ ଓ ସୁରଭି ରଣା । ଏହାକୁ ସଙ୍ଗୀତରେ ସଜାଇଛନ୍ତି ଶକ୍ତିପ୍ରସାଦ ମିଶ୍ର ବୋଲି ନାଟ୍ୟକାର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
Prev Post