
କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଯୋଗକୁ ବିଶ୍ୱବ୍ୟାପୀ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷର ବିଷୟବସ୍ତୁ ରହିଛି “ ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” । ଏହାକୁ ନେଇ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କୋରୋନେସନ୍ ପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଯୋଗ ମାଧ୍ୟମରେ ମଣିଷ ମାନସିକ ଚାପ, ଅବସାଦ ଓ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ । ଯୋଗର ଉପକାରିତା ବିଷୟରେ ଅବଗତ ହୋଇ ଏହାକୁ ଜୀବନର ଅଂଶ କରବା ପାଇଁ ସେ ଆହ୍ୱାନ ଦେଇଛନ୍ତି ଶିକ୍ଷାମନ୍ତ୍ରୀ । ଏଥିରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ଜି ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଏହାକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଯୋଗଗୁରୁ ପ୍ରଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଛାତ୍ରୀ ଅନୁପମା ନନ୍ଦ, ଶ୍ରବଣ କୁମାର ରଣା ଓ ଅନ୍ୟମାନେ ଯୋଗମୁଦ୍ରା କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରମେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଅନ୍ୟ ଅତିଥି ମାନେ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ହରିଶ ବି. ସି, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଜନ ପ୍ରତିନିଧି, ସରକାରୀ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ବହୁସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।