ମନରେଗା ଦୁର୍ନୀତିର ତଦନ୍ତ ଚାଲିଛି : ଅପେକ୍ଷାରେ ଅଞ୍ଚଳବାସୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ରାସ୍ତା ପାଶ୍ୱର୍ରେ ଥିବା ଖରଡିଆମୁଣ୍ଡା ପୋଖରୀ ଖନନ ତଥା ପାହାଚ ନିର୍ମାଣ କାମ ଦୁର୍ନୀତି ସମ୍ବନ୍ଧେ ୨୦/୭/୨୧ରେ ପିଡିଡିଆରଡିଏଙ୍କ ପାଖରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ପିଡି ମହୋଦୟ ଅନୁସନ୍ଧାନ ପାଇଁ ଜିଲ୍ଲା ସାମାଜିକ ସମିକ୍ଷକ (ଏନ୍‌ଆର୍‌ଇଜିଏ) ବର୍ଷା ହରପାଲଙ୍କୁ ପଠାଇ ଥିଲେ । ପୁଣି ଗ୍ରାମବାସୀ ଦ୍ବିତୀୟ ଥର ଏଡିଏମ୍‌ଙ୍କ ପାଖରେ ଅଭିଯୋଗ କରିବାରୁ ବର୍ଷା ହରପାଲ ୧/୯/୨୧ ସମୟ ଦିବା ୧୨ ଘଣ୍ଟା ୪୫ ମିନିଟ ସମୟରେ ତେନ୍ତୁଳିଖୁଣ୍ଟି ଗ୍ରାମକୁ ଆସି ଅନୁସନ୍ଧାନ କରି ମଧ୍ୟ ନ୍ୟାୟ ନ ମିଳିବାରୁ ତା ୧୭/୯/୨୧ରେ ‘କୋଶଳ ପ୍ରବାହ’ରେ ଖବର ପ୍ରକାଶ ପାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଥିଲା ୩୨ଜଣ ଶ୍ରମିକ କାମ ନକରି ଅନେକ ମୃତ ବ୍ୟକ୍ତି, ବିକଳାଙ୍ଗ, ଶର୍ଯ୍ୟାଶାୟୀ, ୬୦ ବର୍ଷରୁ ଶ୍ରମିକଙ୍କ ଜବ କାର୍ଡରେ କାମ କରାଯାଇ ଥିବା ଦର୍ଶାଇ ତାଙ୍କ ଆକାଉଣ୍ଟରେ ଟଙ୍କା ପକାଇ ପରେ ଗାଁ ସାଥୀ ଜରିଆରେ ଉକ୍ତ ଟଙ୍କା ଆଦାୟ କରି ହରିଲୁଟ ହେବା । ସେତେବେଳେ ବଲାଙ୍ଗିର ଜିଲ୍ଲାକୁ ହଲଚଲ କରିଦେଲା ଭଳି ମନରେଗା ଦୁର୍ନୀତି ହୋଇଛି । କାମ ନ ହୋଇ ଫାଇଲରେ ସରି ଯାଇଛି ୧୦ ଲକ୍ଷ ଟଙ୍କା । ଦୁଇରୁ ତିନିଥର ପ୍ରଶାସନ ତରଫରୁ ତଦନ୍ତ ହୋଇଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ । ଗତକାଲି ଡିଆର୍‌ଡିଏ, ତରଫରୁ ପୁଣି ଜଣେ ପ୍ରଶାସନିକ ଅଧିକାରୀ ତଦନ୍ତ କରିଯାଇଛନ୍ତି । ତଦନ୍ତ ପରେ ନ୍ୟାୟ ଅପେକ୍ଷାରେ ଗ୍ରାମବାସୀ । ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ କି ପ୍ରକାର ନ୍ୟାୟ ଦେଉଛନ୍ତି ।

Leave A Reply

Your email address will not be published.