ସର୍ବ ଭାରତୀୟ ବହୁଭାଷୀ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା, ମନ ମୋହିଲା “କୁହୁଡି “

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ପନ୍ଦନ, ରାଉରକେଲା ଆୟୋଜିତ ୩୬ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ବିଦ୍ୟାକନକ ସୃଜନାନୁଷ୍ଠାନ ମଂଚସ୍ଥ କରିଥିଲା ଓଡିଆ ନାଟକ “କୁହୁଡି” । ସାଂପ୍ରତିକ ସମାଜର ସମସ୍ୟାକୁ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଥିଲା ଏହି ନାଟକରେ । ଏହି ସଂସାରଟା ଏକ ମାୟାର ଏକ କୁହୁଡି । ଆଉ କୁହୁଡି ସେପାଖେ ଅଛି, କେବଳ ଛଳନାର ଘର । ଯେଉଁଘରେ ବାପା ମା’ ଦିନେ ବ୍ରତ ଉପାସ କରି ସନ୍ତାନଟେ ପାଇଥାନ୍ତି, ଆଉ ଦିନ ଆସେ ସେଇ ସନ୍ତାନମାନେ ତାକୁ ଜରାଶ୍ରମର ରାସ୍ତା ଦେଖାନ୍ତି । ଆଜିର ଦୁନିଆରେ ବାପା ମା’ ମାନେ ପିଲାମାନଙ୍କ ଉପରେ ବୋଝ ପାଲଟି ଯାଇଛନ୍ତି । ସ୍ନେହ, ମମତା, ଭଲ ପାଇବାର ସୂର୍ଯ୍ୟାଲୋକକୁ ମାନ ଅଭମାନର କୁହୁଡି କିପରି ଢାଙ୍କି ଦେଉଛି ଏବଂ ସେ କୁଡିକୁ ହଟାଇ ଆଗକୁ ବଢି ପାରିବା, ତା’ ସାଂଗକୁ ବାପା, ମା’ଙ୍କୁ ଯଥା ସମ୍ମାନ ଦେଇ ପାରିବା ତା’ରି ଉପରେ ପର୍ଯ୍ୟବସିତ ଥିଲା ନାଟକ କୁହୁଡି । ଗୋପୀନାଥ ବାରିକଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶକ ଥିଲେ ଅବକାଶ ମିଶ୍ର, ସଂଗୀତ ନିର୍ଦ୍ଦେଶନା ମାନସ କୁମାର ପରିଡା ଦେଇଥିବାବେଳେ ରାକେଶ ଶତପଥି ଆଲୋକ ନିର୍ଦ୍ଦେଶନା ଦେଇଥିଲେ । ଅଭିନୟ କରିଥିଲେ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଶୁଭକାନ୍ତ ପାଢୀ, ମାନସ ରଂଜନ ପରିଡା, ପ୍ରଦୀପ୍ତ କୁମାର ସ୍ୱାଇଁ, ରାଜେଶ ମାଲିଆ, ରାଜେଶ ବଳବନ୍ତରାୟ, ସରୀତା ପ୍ରଧାନ, ସୌମ୍ୟା ସୁମନ ମହାନ୍ତି, ନୈନସୀ ନୈନିକା ମିଶ୍ର । ନାଟକରେ କଳାକାରମାନଙ୍କ ଅଭିନୟ ନିଖୁଣ ଥିବାବେଳେ ରିୟା ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ନୈନସି ନୈନିକା ମିଶ୍ର ସମସ୍ତଙ୍କ ମନ ମୋହିଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ଶିଶିର ମୁଦାଲି, କ୍ଷୀରୋଦ ବାଡତ୍ୟା, ରମେଶ ଗୌଡ, ମିହିର ପରିଜା, ଅମୂଲ୍ୟ ବେହେରା, କ୍ରିଷ୍ନା ସିଂ, ରାଜେଶ ପ୍ରସାଦ, ସୁଦିସ୍ ମିଶ୍ରା, ଈଶିକା ପ୍ରସାଦ, ଶରଣଦ ବରାଳ, ଚିନ୍ମୟୀ ବେହେରା, ଅଜିତ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.