ଏବେ ବି ମାନବିକତା ଲୋପ ପାଇନାହିଁ : ଯୁବକମାନେ ଦେଲେ ପାର୍ବତୀ ଗିରି ବାଲ୍ ନିକେତନର ଅନ୍ତେବାସୀଙ୍କୁ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାର୍ଥ ସର୍ବସ୍ୱ ଆଜିର ସମାଜରେ ମଣିଷକୁ ଭଲ ପାଇବା ପୁରାପୁରି ସରିଯାଇନାହିଁ । ଆଜିବି ରକ୍ତର ସଂପର୍କ ବିନା ବି ମଣିଷ ମଣିଷକୁ ଭଲ ପାଉଛି । ସାହାଯ୍ୟ କରୁଛି ବିପଦ ଆପଦରେ । କୋରୋନାର ବିଭିନ୍ନ ଲହରରେ ମଣିଷର ମାନବିକତା ଜାଗି ଉଠିଥିବା ଦେଖାଯାଇଛି । ଅନ୍ଧାର ଭିତରେ ଆଲୁଅର କ୍ଷୀଣ ରେଖାଟିଏ ଦିଶୁଛି ବୋଲି ତ’ ମଣିଷ ବଂଚିଛି । କୋଭିଡ ଆମକୁ ଜୀବନ ବଂଚିବାକୁ ବିଭିନ୍ନ ମାର୍ଗ ଓ ଜୀବିକାର ପନ୍ଥା ଦେଖାଇଦେଇଛି । କିଛି ଯୁବକ ଯୁବତୀ, ଛାତ୍ର ସାଙ୍ଗ ଭାବରେ ପରସ୍ପର ସହ କଥା ହୋଇ କୋଭିଡର ବର୍ତ୍ତମାନ ସ୍ଥିତିରେ ନିଜର ଭୂମିକା ନିଜେ ସ୍ଥିରକରି ଆଗେଇ ଆସିଛନ୍ତି ଅନାଥ ମାନଙ୍କୁ ସାମର୍ଥ୍ୟ ପ୍ରଦାନ ପାଇଁ ଓ ସମାଜରେ ଏକ ସମତୁଲତା ବଜାୟ ରଖିବା ପାଇଁ । ସ୍ୱରୂପ ନାୟକଙ୍କ ନେତୃତ୍ୱରେ ତପସ୍ୱିନୀ ପଟ୍ଟନାୟକ, ଅଭିଷେକ ସାହୁ, ସ୍ୱସ୍ତିକ ମେହେର, ଅସ୍ମିତା ସାହୁ, ପ୍ରଶାନ୍ତ ସାହୁ ଓ ବ୍ରଜକିଶୋର ରୋଶନଲାଲ ପଧାନ ଆଜି ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲ୍ ନିକେତନ ପହଞ୍ଚି ସେଠିକାର ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ଅନୁଷ୍ଠାନର ତତ୍ତାବଧାରକଙ୍କୁ ହସ୍ତାନ୍ତର କରିଛନ୍ତି । ଯୁବକ ଯୁବତୀ ମାନେ ଏଥିପାଇଁ ନିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି । ଆଗାମୀ ସମୟରେ ଏପରି ଆହୁରି ଅନେକ କାର୍ଯ୍ୟ କରିବାକୁ ସେମାନେ ନିଶ୍ଚୟ ଉଦ୍ୟମ କରିବେ ବୋଲି ମଧ୍ୟ କହିଛନ୍ତି ।