ଆଜି ବି ବଞ୍ଚି ରହିଛି ମାନବିକତା : କ୍ୟାଡ଼ର ଏପିପି ଓ ସହଯାତ୍ରୀଙ୍କ ଦ୍ୱାରା ବାଳକ ଉଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିଜର ଧର୍ମପତ୍ନୀଙ୍କ ଜନ୍ମଦିନ ପାଳନ କରି ଖୁସିମନେଇବା ପାଇଁ ରବିବାର ଦିନ ଛୁଟିରେ ସପରିବାର ସହ ଛୁଟି କଟାଇବା ପାଇଁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । ସେ ହେଉଛନ୍ତି ଛତ୍ରପୁର ଏସଡିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର । ତାଙ୍କ କୋର୍ଟ କାମ ସାରି ଟ୍ରେନ ଚଢି ଭୁବନେଶ୍ୱର ଅଭିମୁଖେ ବାହାରିଲେ । ପୂର୍ବପରି ଟ୍ରେନରେ ଚଢିବା ପରେ, ସେ ସମସ୍ତ ସହଯାତ୍ରୀଙ୍କ ସହ ବର୍ତ୍ତାଳାପ ଆରମ୍ଭ କରିଥିଲେ । ସେହି ସମୟରେ ତାଙ୍କ ନଜର ଏକ ପିଲା ଉପରେ ପଡିଥିଲା । ଯିଏ କାହା ସହ ମିଶୁନଥିଲା କି କଥାବାର୍ତ୍ତା ହେଉନଥିଲା । କିନ୍ତୁ ସହଯାତ୍ରୀଙ୍କ ଦୟାରୁ ଯାହା କିଛି ମିଳୁଥିଲା ଖାଉଥିଲା । ଏପରି ପରିସ୍ଥିତିରେ ଗୋଟେ ମୂହର୍ତ୍ତ ପାଇଁ ଶ୍ରୀ ମିଶ୍ରଙ୍କୁ ଲାଗିଲା ଯେ, ବୋଧ ହୁଏ ଏଇ ପିଲାଟା ସେଇ ସହଯାତ୍ରୀଙ୍କ ପାଖ ଗାଁ ଲୋକ ହୋଇଥିବ ଓ ଏବେ ବହୁତ ଦିନ ପରେ ନିଜ ଘରକୁ ଯାଉଛି । ତେଣୁ କିଛି ନ କହି ଖାଲି ଖାଉଛି ଆଉ ଅଜଣା ଭାବି ଇଆଡ଼େ ସିଆଡେ ନଜର ପକାଉଛି । କିନ୍ତୁ ପରେ ଯେତେବେଳେ ଖୋର୍ଦ୍ଧା ଷ୍ଟେସନ ଆସିଲା, ସେତେବେଳେ କିଛି ଯୁବକ କହିବା ଆରମ୍ଭ କଲେ, ଆରେ ଆମେ ତ ଆମ ଗାଁକୁ ପଳାଇବା । କିନ୍ତୁ ଏଇ ପିଲା କୁଆଡେ ଯିବ ? ପ୍ରଥମ ଥର ପାଇଁ ସେତିକିବେଳେ ଶ୍ରୀ ମିଶ୍ର ଜାଣିବାକୁ ପାଇଲେ ଯେ, ଏଇ ପିଲାଟି ବାଟ ଭୁଲି ପଳେଇ ଆସିଛି ଓ ଅଲଗା ଭାଷା ପାଇଁ ସେ କାହା ସହ ଠିକ୍‌ ସେ କଥା ହୋଇ ପାରୁନାହିଁ । ତେଲୁଗୁ ଭାଷାରେ ନିଜର କିଞ୍ଚିତ ଜ୍ଞାନକୁ ବ୍ୟବହାର କରି ଶ୍ରୀ ମିଶ୍ର ଯେତେବେଳେ ତେଲୁଗୁ ଭାଷାରେ ତା ନାଁ ପଚାରିଲେ, ସେତେବେଳେ ଜାଣିଲେ ଯେ ତା ନାଁ ଏନ. ରାମବାବୁ । ତା’ ପରେ ଭାଷାଗତ ତାରତମ୍ୟ ପାଇଁ ତା’ ବିଷୟରେ ଆଉ କିଛି ଜାଣିପାରିଲେ ନାହିଁ ଓ ଘରର କୌଣସି ଲୋକଙ୍କ ଫୋନ ନମ୍ବର ଜାଣିପାରିଲେ ନାହିଁ । ସେହି ସମୟରେ ଜଣାପଡିଲା ଯେ, ତା’ ପାଖରେ ଏକ ମୋବାଇଲ ବ୍ୟାଟେରୀ ଶୁନ୍ୟ ହୋଇ ରହିଛି । ସହଯାତ୍ରୀଙ୍କ ସହାୟତାରେ ସେହି ସିମରୁ କିଛି ନମ୍ବର ବାହାର କରି ଲୋକଙ୍କୁ ଯୋଗାଯୋଗ କଲେ, କିନ୍ତୁ ଭାଷାଗତ ତାରତମ୍ୟ ପାଇଁ ଯୋଗାଯୋଗ ସଫଳ ହେଲା ନାହିଁ । ପରେ ଭୁବନେଶ୍ୱର ସ୍ଥିତ ଚାଇଲଡ୍ଡ ହେଲ୍ପଲାଇନ୍‌କୁ ଯୋଗାଯୋଗ କରି ଶିବ ପ୍ରସାଦ ବରାଳଙ୍କ ସହାୟତାରେ ପିଲାଟିକୁ ସେଠି ହସ୍ତାନ୍ତର କରିଥିଲେ । କିନ୍ତୁ ସେଠାରେ କର୍ତ୍ତବ୍ୟରତ କର୍ମଚାରୀ କହିଥିଲେ, ଯଦି ପିଲାଟି ୧୮ବର୍ଷରୁ କମ ହୋଇଥିବ ତେବେ ଆମେ କିଛି କରିପାରିବୁ ନଚେତ ପିଲାଟିକୁ ସେମିତି ବାହାରେ ଛାଡ଼ିଦେବୁ । କାରଣ ସେମିତି କିଛି ବିଶେଷ ବ୍ୟବସ୍ଥା ନାହିଁ । ପିଲାଟିର ଭବିଷ୍ୟତ କଥା ଚିନ୍ତା କରି ଶ୍ରୀ ମିଶ୍ର ଯଥା ସମ୍ଭବ ସହାୟତା ପାଇଁ କର୍ମଚାରୀଙ୍କୁ କହିଥିଲେ । ସେଠି ଉପସ୍ଥିତ ଜଣେ ତେଲୁଗୁ ଭାଷୀ ଦୋକାନୀ ଏସ. ଦିଲେଶ୍ୱର ରାଓ ଆସି ପୂର୍ବରୁ ମିଳିଥିବା ଫୋନ ନମ୍ବରରେ କଥା ହୋଇ ଜାଣିବାକୁ ପାଇଲେ ଯେ, ପିଲାଟି ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ବାସିନ୍ଦା । କିଛି ଗୋଟେ କାରଣକୁ ନେଇ ପିଲାଟି ରାଗିଯାଇ ନିଜ ଘରୁ ସକାଳୁ କୁଆଡେ ପଳେଇ ଆସିଛି ଓ ଘରଲୋକ ଚାରିଆଡେ ତା’ ସନ୍ଧାନ କରି ହତାଶ ହୋଇଛନ୍ତି । ପିଲାଟି ମାନସିକ ଅବସାଦଗ୍ରସ୍ଥ ଥିବାରୁ କିଛି ଠିକରେ କହୁନଥିଲା । କିନ୍ତୁ ଏବେ ତା’ ଘର ଲୋକଙ୍କ ଠିକଣା ମିଳିବାରୁ ତଥା ପିଲାଟି ଘରଲୋକଙ୍କ ସହ କଥା ହେବାରୁ ପିଲାଟି ସୁରକ୍ଷିତ ଥିବା ଜାଣି ସମସ୍ତଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଦେବା ସହ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସୂଚନାଯୋଗ୍ୟ ଯେ, ଆଜିର ସମାଜରେ କେହି କାହାରିକୁ ସହାୟତା କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଟ୍ରେନରେ ଥିବା ସହଯାତ୍ରୀଙ୍କ ଯଥାସମ୍ଭବ ସାହାଯ୍ୟ ପାଇଁ ଆଜି ଗୋଟେ ପିଲାଟିର ଜୀବନ ଖରାପ ହାତରେ ପଡିବା ପୂର୍ବରୁ ବଞ୍ଚିଗଲା । ସର୍ବୋପରି ବନ୍ଧୁ ରାଜେଶ କୁମାର ମିଶ୍ରଙ୍କୁ ସଭିଏଁ ସଧୁବାଦ ଜଣାଇଛନ୍ତି ତଥା ସେ ଅନେକ ପ୍ରଶଂସାର ପାତ୍ର ହୋଇପାଇଛନ୍ତି ।

Leave A Reply

Your email address will not be published.