om academy

ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାନବିକତା ଦେଖାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ ରାତି ପାଖାପାଖି ୨ଟା ସମୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ନିକଟକୁ ଖବର ଆସିଲା ଯେ, ଟିଟିଲାଗଡରେ କୌଣସି ଏକ ଦୁର୍ଘଟଣାରେ ଆହତ ହୋଇ ଜଣେ ମହିଳା ପ୍ରଥମେ ଟିଟିଲାଗଡ ସବ ଡିଭିଜନାଲ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇ ଆମ୍ବୁଲାନ୍ସ ଦ୍ୱାରା ବଲାଙ୍ଗିର ଆସୁଛନ୍ତି । ଏଥିପାଇଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସାହାଯ୍ୟ ଲୋଡୁଥିଲେ । ସାଙ୍ଗରେ ଆସୁଥିଲେ ପରିବାରର ଦୁଇ ଜଣ ମହିଳା ଓ ଜଣେ ଛୋଟ ଶିଶୁ । ବିଳମ୍ବିତ ରାତିରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଦୁଇ ଜଣ ସଦସ୍ୟ ଲିଙ୍କନ ସେଠ ଓ ଗୋବିନ୍ଦ ଶତପଥୀ ହସ୍ପିଟାଲରେ ଯାଇ ଜଗି ରହିଥିଲେ । ଆମ୍ବୁଲାନ୍ସ ଆସିବା ପରେ ତୁରନ୍ତ ଦୁର୍ଘଟଣାରେ ଆହତ ମହିଳାଙ୍କୁ କାଜୁଏଲ୍‌ଟିକୁ ନେଇ ଯାଇଥିଲେ । ହେଲେ ରାସ୍ତାରେ ଆସିବା ବେଳେ ହିଁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଜଣାଇଥିଲେ । ସଂଗଠନର ସଦସ୍ୟମାନେ ପୋଲିସ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସକାଳୁ ଶବ ବ୍ୟବଚ୍ଛେଦ କଲା ପରେ ହିଁ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାଯାଇ ପାରିବ ବୋଲି ସୂଚନା ଦେଇଥିଲେ । ଫଳରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଦ୍ୱୟ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ସେମାନଙ୍କ ଉପସ୍ଥିତିରେ ମୃତ ମହିଳାଙ୍କ ଶବଟିକୁ ହସ୍ପିଟାଲର ଶବଗୃହରେ ରଖି ଆସିଥିଲେ ଏବଂ ସେହି ମହିଳାଙ୍କ ସହ ଆସିଥିବା ଦୁଇ ଜଣ ମହିଳା ଓ ଛୋଟ ଶିଶୁ ପାଇଁ କିଛି ଖାଦ୍ୟ ଓ ରାତ୍ରିଯାପନ ବ୍ୟବସ୍ଥା କରି ଢେର ରାତି ପାଖାପାଖି ୩:୩୦ ମିନିଟରେ ଘରକୁ ଫେରିଥିଲେ । ସକାଳେ ଶବ ବ୍ୟବଚ୍ଛେଦ କରାଯାଇ ଅନ୍ୟ ସମସ୍ତ ଔପଚାରିକତା ସରିବା ପରେ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର ହେବା ଯାଏଁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଶୋକ ସନ୍ତପ୍ତ ପରିବାର ସହିତ ରହିଥିଲା । ସ୍ୱେଚ୍ଛାସେବୀ ସଂଗଠନର ଏପରି କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.