ଜମିବାଡି ପାଇଁ ଭାଇଙ୍କୁ ହତ୍ୟା ମାମଲା : ସ୍ୱାମୀ, ସ୍ତ୍ରୀ, ପୁଅ ଓ ପୁତ୍ରବଧୂଙ୍କୁ ଆଜୀବନ କାରାଦଣ୍ତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଫରସରା ଗାଁରେ ଜମିବାଡିକୁ ନେଇ ସାନଭାଇଙ୍କୁ ବଡଭାଇଙ୍କ ପରିବାର ଲୋକେ ମିଶି ହତ୍ୟା କରିଥିଲେ । ଏହି ଘଟଣାରେ ଜିଲ୍ଲା ଦୌରା ଓ ଦେୱାନୀ କୋର୍ଟ ଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀ, ପୁଅ ଓ ପୁତ୍ରବଧୂଙ୍କୁ ଆଜୀବନ କାରାଦଣ୍ତାଦେଶ ଶୁଣାଇଛନ୍ତି । ସୂଚନା ଅନୁସାରେ, ବୋଡେନ ଥାନା ଫରସରା ଗାଁରେ ବଡଭାଇ କ୍ଷମା ହାତୀ ଓ ସାନଭାଇ ଗଣପତୀ ହାତୀଙ୍କ ମଧ୍ୟରେ ଜମିବାଡି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା । ୨୦୧୩ ଜୁଲାଇ ୧ ତାରିଖ ରାତି ୮ରେ ଗଣପତୀ, ସ୍ତ୍ରୀ କାନ୍ତୀ ହାତୀ ଓ ଝିଅ ତରୁଣି ହାତୀ ଘରେ ବସି ଏକାଠି ରାତ୍ରୀ ଭୋଜନ କରୁଥିଲେ । ଏହି ସମୟରେ ଜମିବାଡି ବିବାଦକୁ ନେଇ କ୍ଷମା ହାତୀ, ସ୍ତ୍ରୀ ଅନି ହାତୀ, ପୁଅ ଧନଜୀତ ହାତୀ ଓ ପୁତ୍ରବଧୂ ସବିତା ହାତୀ ଜୋର୍‌ ଜବରଦସ୍ତି ଯୋଜନା ବଦ୍ଧ ଭାବେ ଘର ଭିତରକୁ ପଶି ଗଣପତୀଙ୍କୁ ବାହାରକୁ ଘୋଷାରି ଆଣିଥିଲେ । କ୍ଷମା ଏକ ଲୁହା ରଡରେ ଗଣପତୀଙ୍କ ମୁଣ୍ତରେ ବାରାମ୍ବାର ପ୍ରହାର କରିଥିଲେ । ଏହାକୁ ସ୍ତ୍ରୀ କାନ୍ତୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଲୁହା ରଡରେ ମାଡମାରି ରକ୍ତାକ୍ତ କରିଥିଲେ । ଏମିତିକି କାନ୍ତୀଙ୍କ ବାମହାତ ଅଙ୍ଗୁଳିକୁ ତାଙ୍କ ଦେଢଶ୍ୱଶୁର ଦାନ୍ତରେ ଛିଡାଇ ଫିଙ୍ଗି ଦେଇଥିଲେ ।

ତେବେ ଗଣପତୀଙ୍କ ମୁଣ୍ତରୁ ପ୍ରବଳ ରକ୍ତଶ୍ରାବ ହେବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଲମ୍ବିତ ରାତିରେ ମୃତକଙ୍କ ସ୍ତ୍ରୀ କାନ୍ତୀ ବୋଡେନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବୋଡେନ ଥାନାରେ(କେଶ ନଂ ୯୦/୨୦୧୩) ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରି ସ୍ୱାମୀ, ସ୍ତ୍ରୀ, ପୁଅ ଓ ପୁତ୍ରବଧୂଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିଲେ । ଏହି ମାମଲା ଜିଲ୍ଲା ଦୌରା ଓ ଦେୱାନୀ କୋର୍ଟରେ ବିଚାରାଧିନ ରହିଥିଲା । ଜିଲ୍ଲା ଦୌରା ଓ ଦେୱାନୀ ଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ମୃତକ ଗଣପତୀଙ୍କ ସ୍ତ୍ରୀ କାନ୍ତୀ ଓ ଝିଅ ତରୁଣିଙ୍କ ପ୍ରତ୍ୟକ୍ଷ ସାକ୍ଷ୍ୟ ସହ ଅନ୍ୟ ୨୨ ଜଣ ସାକ୍ଷ, ୨୧ ଦସ୍ତାବିଜ, ୫ଟି ସାମଗ୍ରୀକ ପ୍ରମାଣ, ଶବ ବ୍ୟବଚ୍ଛେଦ ରିପୋର୍ଟ, କେମିକାଲ ଏକ୍ଜାମିନେ ଓ ରିପୋର୍ଟକୁ ଭିତ୍ତି କରି ମାମଲାର ଶୁଣାଣି କରିଛନ୍ତି । ଏଥିରେ ସ୍ୱାମୀ, ସ୍ତ୍ରୀ, ପୁଅ ଓ ପୁତ୍ରବଧୂଙ୍କୁ ଆଜୀବନ କାରାଦଣ୍ତାଦେଶ ଦେବା ସହ ୫ ହଜାର ଟଙ୍କା ଅର୍ଥଦଣ୍ତ ଜରିମାନା କରିଛନ୍ତି ।

Leave A Reply

Your email address will not be published.