ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ଏବଂ ନିୟମିତ ବିମାନସେବା ମାମଲା

  • ବିଧାନସଭାରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜକୋଷ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନେଇଆସୁଥିବା ତଥା ଓଡ଼ିଶାର ଅନ୍ୟତମ ଶିଳ୍ପ ରାଜଧାନୀ ଭାବେ ମଧ୍ୟ ପରିଚିତ ଆମର ଏଇ ସ୍ମାର୍ଟ ସିଟି ରାଉରକେଲାରେ ଦେଶ ସ୍ୱାଧୀନତା ପ୍ରାପ୍ତି ପରେ ପ୍ରଥମ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା ସମେତ ସର୍ବ ଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଏନ ଆଇ ଟି, ବିପିୟୁଟି ଆଦି ଥିବା ବେଳେ ଏକାଧିକ ଖ୍ୟାତି ସମ୍ପର୍ଣ୍ଣ ଡାକ୍ତରଖାନା ମାନ ଅଛି । ଏଠାରୁ ଦେଶର ବିଭିନ୍ନ ସ୍ଥାନକୁତ ଦୂରର କଥା ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ମଧ୍ୟ ଦୈନିକ ବିମାନ ସେବା ନଥିବା କାରଣରୁ ଏଠାକାର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦେଶ ତଥା ରାଜ୍ୟର ପ୍ରତିଷ୍ଠିତ ଡାକ୍ତର ଏବଂ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବିଶେଷଜ୍ଞମାନେ ଆମ ସହରକୁ ଆସି ସେମାନଙ୍କର ସେବା ଯୋଗାଇ ପାରୁନାହାନ୍ତି । ତେଣୁ ରାଉରକେଲା ସହରରେ ଥିବା ବିମାନ ବନ୍ଦରର ସମ୍ପ୍ରସାରଣ କରିବା ସହିତ ରାଉରକେଲାରୁ ଭୁବନେଶ୍ୱରକୁ ଦୈନିକ ବିମାନସେବା(ପୂର୍ବବତ) ଚାଲୁ କରିବା ପାଇଁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଓଡିଶା ବିଧାନସଭାରେ ଚଳିତ ଅଧିବେଶନରେ ପ୍ରଶ୍ନ ଉପସ୍ଥାପନ କରିଥିଲେ । ବିଧାୟକ ଦୁର୍ଗାଙ୍କ ପ୍ରଶ୍ନର ଉତ୍ତରରେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ଉତ୍ତର ଅନୁସାରେ ସେଲ ଅଧୀନରେ ପରିଚାଳିତ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ୧) ବିମାନ ବନ୍ଦରକୁ ସେଲ କର୍ତ୍ତୃପକ୍ଷ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣକୁ ହସ୍ତାନ୍ତର କରିବାପାଇଁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛନ୍ତି । ୨)ରାଉରକେଲାକୁ ଏୟାରବସ ଏ-୩୨୦, ବୋଇଂ ୭୩୭ ପରି ବଡ଼ ବିମାନ ଚଳାଚଳ ପାଇଁ ଏ ଏ ଆଇ ଦ୍ୱାରା ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଏଥିପାଇଁ ପ୍ରାୟ ୩୭୫.୫ ଏକର ଜମିର ଆବଶ୍ୟକତା ଥିବା କଥା କୁହାଯାଇଛି । ଏଥିପାଇଁ ଏ ଏ ଆଇକୁ ଡିପିଆର ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ବେଳେ ଲିଜ ଜମି ହସ୍ତାନ୍ତର ପ୍ରକ୍ରିୟା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୩) ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମିର ମୂଲ୍ୟାଙ୍କନ ଏବଂ ଡିଜିପିଏସ ସର୍ଭେ ପାଇଁ ଓଆରଏସଏସି କୁ ୨୨.୫୯ ଲକ୍ଷ ଟଙ୍କା ଦିଆଯାଇଛି । ୪) ରାଉରକେଲା ବିମାନ ବନ୍ଦର ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଏଏଆଇ କୁ ଏବଂ ଫିଜିବିଲିଟି/ଓ ଏଲ ଏସ ସର୍ଭେ କରିବା ପାଇଁ ଅନୁରୋଧ କରିବ ସହିତ ଓଏଲଏସ ସର୍ଭେ ନିମନ୍ତେ ୪୮.୪୮ ଲକ୍ଷ ଟଙ୍କା ଏବଂ ପ୍ରାକ ସମ୍ଭାବ୍ୟତା ଅଧ୍ୟୟନ ପାଇଁ ଏଏଆଇ କୁ ୪୦.୫୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୫) ଭୁବନେଶ୍ୱରରୁ ରାଉରକେଲାକୁ ଦୈନିକ ବିମାନସେବା ନିମିତ୍ତ ଉଡାଣ ଯୋଜନାରେ ପୂର୍ବରୁ ଆଳିଆନ୍ସ ଏୟାର ପରିଚାଳନା ଯଦିଓ କରୁଥିଲା ତେବେ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହେବାରୁ ବର୍ତ୍ତମାନ ରାଜ୍ୟ ଭିଜିଏଫ ସହାୟତାରେ ଇଣ୍ଡିଆ ୱାନ ଏୟାରକୁ ଏହି ରୁଟରେ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଥିବା କଥା ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଉତ୍ତରରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.