ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକକୁ ମିଳୁନି ମଜୁରୀ ଟଙ୍କା : ପ୍ରତିବାଦ କରି କାର୍ଯ୍ୟ ବନ୍ଦ ଡାକରା

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା ) : ସରକାର ଶ୍ରମିକମାନଙ୍କ ମଜୁରୀ ଟଙ୍କା ଜୁଲାଇ ମାସରେ ବୃଦ୍ଧି କରିଥିବା ନେଇ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ ଗାଁ ଗହଳିର ଶ୍ରମିକମାନେ ସରକାରୀ ନିୟମ ଅନୁସାରେ ସେମାନଙ୍କର ମଜୁରୀ ଟଙ୍କା ସରକାରୀ ନିୟମ ଠାରୁ ମଧ୍ୟ କମ୍ ଟଙ୍କା ପାଉଥିବାର ଜଣାପଡିଛି । କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଦ୍ୱାରା ନିର୍ମାଣ କରାଯାଉଥିବା ଗୃହ, ପୋଲ, ରାସ୍ତା କିମ୍ବା ଅନ୍ୟ କୌଣସି ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ଠିକାଦାରଙ୍କ ଦ୍ୱାରା ମଜୁରୀ ଟଙ୍କା କମ୍ ପ୍ରଦାନ କରି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରୁଥିବା ଭଳି କିଛି ଶ୍ରମିକ ଅଭିଯୋଗ କରି କାମ ବନ୍ଦ ରଖିଥିବା ଏକ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକରେ । କୋଲାର ପଞ୍ଚାୟତର ଟାଙ୍ଗିଣିଗୁଡା ଗ୍ରାମ ପାଖରେ ଆଜିକୁ ୩ବର୍ଷ ତଳରୁ ନିର୍ମାଣଧିନ ଥିବା ଏକଲବ୍ୟ ବିଦ୍ୟାଳୟ ପରିସର ଠାରେ ସ୍ଥାନୀୟ ମହିଳା ଓ ପୁରୁଷ ଶ୍ରମିକମାନଙ୍କୁ ପ୍ରତିଦିନ ୨ଶହ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସେଠାକୁ ଆସିଥିବା ବାହାର ଜିଲ୍ଲାର ଶ୍ରମିକ ମାନଙ୍କୁ ୪ଶହ ଟଙ୍କା ପ୍ରଦାନ କରାଯାଉଛି ବୋଲି ସ୍ଥାନୀୟ ଶ୍ରମିକ ମାନେ ପ୍ରଶ୍ନ ଉଠାଇଥିଲେ । ଶ୍ରମିକ ଶ୍ରମିକ ମାନଙ୍କ ମଧ୍ୟରେ କାହିଁକି ଠିକା ସଂସ୍ଥା ପାତରଅନ୍ତର ନୀତି ଅବଲମ୍ବନ କରୁଛି ବୋଲି ଶ୍ରମିକ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ଅନ୍ୟ ଶ୍ରମିକମାନଙ୍କ ଭଳି ଆମକୁ ମଧ୍ୟ ୪ଶହ ଟଙ୍କା ଦିଆଯାଉ ବୋଲି ଅଭିଯୋଗ କରି କାମ ବନ୍ଦ ରଖିଥିବା ଜଣାପଡିଛି । ଖବର ପାଇଁ କୋଲାର ସରପଞ୍ଚ ଜୟନ୍ତୀ ନାୟକ ଓ ନାଏବ ସରପଞ୍ଚ ରାମ ବାରିକ ପ୍ରମୁଖ ଘଟଣା ସ୍ଥଳରେ ପହି ଶ୍ରମିକମାନଙ୍କୁ ବୁଝାସୁଝା କରିବା ସହ ଠିକା ସଂସ୍ଥାର କର୍ମଚାରୀମାନଙ୍କ ସହ ଆଲୋଚନା କରିଥିବାର ଦେଖିବାକୁ ମିଳିଛି । ଠିକା ସଂସ୍ଥାର କର୍ମଚାରୀଗଣ କହିଛନ୍ତି ଯେ କାର୍ଯ୍ୟ ନେଇଥିବା ମୁଖ୍ୟ ଠିକାଦାର ପାରାଦ୍ୱୀପ ଠାରେ ରହୁଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଏହି କାର୍ଯ୍ୟ ବିଷୟରେ ବୁଝାସୁଝା କରୁଛନ୍ତି । ସେଠାରେ ଥିବା ସଂସ୍ଥାର କର୍ମଚାରୀଗଣ କିଛି ସମାଧାନର ବାଟ ବାହାର ନ କରି ଘଟଣାସ୍ଥଳରୁ ଚାଲିଯାଇଥିବା ବେଳେ ଏପର୍ଯ୍ୟନ୍ତ ନିର୍ମାଣଧିନ କାମ ବନ୍ଦ ରହିଥିବା ଜଣାପଡିଛି । ମଜୁରୀ ବୃଦ୍ଧି ନ ହେବା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ନେଇ ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.