
- ପ୍ରସ୍ତୁତି ବୈଠକରେ ଉଠିଲା ରାଜ୍ୟସ୍ତରୀୟ ମାନ୍ୟତା ଦାବୀ
ଖପ୍ରାଖୋଲ, (ଅଶୋକ ବାଗ) : ହରିଶଙ୍କର ରାଜ୍ୟର ଏକ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥକ୍ଷେତ୍ର ଅଟେ । ବିଶ୍ୱ ଐତିହ୍ୟ ତାଲିକାରେ ଏହା ସ୍ଥାନ ପାଇଅଛି । ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ଜୈବ ବିବିଧତା ଐତିହ୍ୟ ସ୍ଥଳଭାବେ ମାନ୍ୟତା ପାଇଛି । ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ ବହୁ ପୁରୁଣା କାଳରୁ ଏଠାରେ ଅନୁଷ୍ଠିତ ହୋଇଆସୁଅଛି । ଏହି ମହୋତ୍ସବକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଏହାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବାକୁ ହରିଶଙ୍କର ମହୋତ୍ସବ ପ୍ରସ୍ତୁତି ବୈଠକରେ ଦାବୀ ହୋଇଛି । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପାଟଣାଗଡ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ମଙ୍ଗଳବାର ହରିଶଙ୍କରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ହରିଶଙ୍କର ମହୋତ୍ସବ ବିଗତ ବର୍ଷମାନଙ୍କରେ ତିନି ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହା ପାଂଚ ଦିନକୁ ବୃଦ୍ଧି କରାଯାଇଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ବୈଠକରେ ସାଂସ୍କୃତିକ କାର୍ଯ୍ୟକ୍ରମ, ହୋମଯଜ୍ଞ, ପଲ୍ଲୀଶ୍ରୀ ମେଳା, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ସଫେଇ ତଥା ଆଇନ ଶୃଙ୍ଖଳା ଆଦି ବିଷୟରେ ଆଲୋଚନା କରାଯିବା ସହିତ ଉପଜିଲ୍ଲାପାଳ ସମସ୍ତ ସଦସ୍ୟମାନଙ୍କର ମତ ଲୋଡିଥିଲେ । ଏହି ଅବସରରେ ଅଧ୍ୟାପନା କମିଟି, ସାଂସ୍କୃତିକ ଦଳ କମିଟି, ଶାନ୍ତି କମିଟି, ମନ୍ଦିର ଦର୍ଶନ କମିଟି, ଜଳ ଯୋଗଣ, ଡାକ୍ତରୀ ସେବା, ଖାଦ୍ୟ କମିଟି, ଆଲୋକ ବ୍ୟବସ୍ଥା, ଷ୍ଟେଜ-୧, ଷ୍ଟେଜ-୨, ହୋମଯଜ୍ଞ, ସଫେଇ, ସୂଚନା କେନ୍ଦ୍ର, ଶାନ୍ତି କମିଟି ଆଦି ଗଠନ କରାଯାଇ ବିଭିନ୍ନ ଲୋକଙ୍କୁ ଦାୟିତ୍ୱ ବଂଟନ କରାଯାଇଥିଲା । ମହୋତ୍ସବରେ ମଦ୍ୟପାନ ନିଷେଧ ସହିତ ସମ୍ପୂର୍ଣ୍ଣ ଭାବେ ମଦମୁକ୍ତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ନିକଟରୁ ନାନ୍ଦୁପଲା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନେ ମହୋତ୍ସବରେ ଉପସ୍ଥିତ ରହି ସେବା କାର୍ଯ୍ୟ କରିବା ପାଇଁ ଅଧ୍ୟାପକ ବଳଭଦ୍ର ଦାଶଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏହି ବୈଠକରେ ଦେବୋତ୍ତର କମିଟି ସଦସ୍ୟ ଇନ୍ଦୁଭୂଷଣ ଠାକୁର, ଓମ ପ୍ରକାଶ ଯୋଶୀ, ଝାରୁ ମେହେର, ଶଶି ପୁଝାରୀ, ବିପ୍ର ବିଶି, ରୋହିତାଶ୍ୱ ମେହେର, ପଞ୍ଚୁଦେବ ସାହୁ, ଏସ୍ଡିଆଇପିଆର୍ଓ ସଞ୍ଜୀବ ମହାନ୍ତି, ପାଟଣାଗଡ ସିଭିଲ ସୋସାଇଟି ସଭାପତି ଘନଶ୍ୟାମ ମେହେରଙ୍କ ସହିତ ବରିଷ୍ଠ ନାଗରିକ ନିଳମାଧବ ପାଣିଗ୍ରାହୀ ଏବଂ ସୁଶୀଲ ନାଏକ, ମନ୍ଦିର ସବ୍କମିଟିର ସଦସ୍ୟ ସୁଶିଲ ଗୁରୁ, ଶତ୍ରୁଘନ ନାଏକ, ଟିକେଶ୍ୱର ଧରୁଆ, ବଳରାମ ବେହେରା, ଗଜରାଜ ନାଗ, କ୍ଷମାନିଧି ଭୋଇ, ପ୍ରହଲ୍ଲାଦ ଚାନ୍ଦ, ସଦାଶିବ ସରାଫ, ବଂଶୀଧର ସେଠ, ଉମାକାନ୍ତ ପଧାନ, ଜ୍ୟୋତିରଞ୍ଜନ ପଣ୍ଡା, ତାପସ ରଞ୍ଜନ ବେହେରା, ପଂଚମ ପଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦେବୋତ୍ତର କାର୍ଯ୍ୟାଳୟର କ୍ଲର୍କ ଦିଲିପ କୁମାର ବଗର୍ତ୍ତି ଏବଂ ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ । ଦେବୋତ୍ତର କମିଟି ସଦସ୍ୟ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।